Nitin Gadkari Retirement Buzz: ‘ଏବେ ଅଧିକ କାମ କରିପାରୁନି’ ବୟାନକୁ ନେଇ ଚର୍ଚ୍ଚା, ସ୍ପଷ୍ଟୀକରଣ ଦେଲା ଅଫିସ୍
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବୟାନକୁ ନେଇ ତାଙ୍କ ରାଜନୈତିକ ଭବିଷ୍ୟତ ଓ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଗଷ୍ଟ ୨୩ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଥିଲେ, “ମୁଁ ଏବେ ଆଉ ଏତେ କାମ କରିପାରୁନି। ଯୁବପିଢ଼ିଙ୍କୁ ଅଧିକ କାମ ଦେବା ଉଚିତ। ଏବେ ନୂଆ ଲୋକ ଆସିଛନ୍ତି ଏବଂ ପୁରୁଣାମାନେ ସେମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି।” ମରାଠୀରେ ଦିଆଯାଇଥିବା ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଗଡକରୀ ରାଜନୀତିରୁ ଅବସର ନେବାକୁ ଇଙ୍ଗିତ କରୁଛନ୍ତି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।
ତେବେ ଏହି ଚର୍ଚ୍ଚାକୁ ଖାରଜ କରି ନୀତିନ ଗଡକରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଗଡକରୀଙ୍କ ବୟାନର କୌଣସି ରାଜନୈତିକ ପରିପ୍ରେକ୍ଷିତ ନଥିଲା ବୋଲି ଅଫିସ୍ କହିଛି। ନାଗପୁରରେ ଲକ୍ଷ୍ମଣରାଓ ମାନକର ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହି କଥା କହିଥିଲେ। ଏହି ଟ୍ରଷ୍ଟ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳରେ ଏକଲ ବିଦ୍ୟାଳୟ ପରିଚାଳନା କରୁଛି। ଟ୍ରଷ୍ଟର କାର୍ଯ୍ୟ ଓ ଭବିଷ୍ୟତ ନେତୃତ୍ୱକୁ ନେଇ କଥା ହେବା ସମୟରେ ଗଡକରୀ ଯୁବପିଢ଼ିଙ୍କୁ ଅଧିକ ଦାୟିତ୍ୱ ଦେବା କଥା କହିଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି। କିଛି ଟିଭି ଚ୍ୟାନେଲ ଏହି ବୟାନକୁ ରାଜନୈତିକ ପରିପ୍ରେକ୍ଷିତରେ ପ୍ରସାରଣ କରିଥିବା ମଧ୍ୟ ଅଫିସ୍ ପକ୍ଷରୁ କୁହାଯାଇଛି।
ଗଡକରୀ ତାଙ୍କ ବୟାନରେ ସାର୍ବଜନୀନ ଜୀବନରେ ନିଜର ଦୀର୍ଘ ଅନୁଭବ ଏବଂ ଜୀବନରେ ଆସିଥିବା ଅନେକ ଉତ୍ଥାନ-ପତନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ତାଙ୍କ ଅଫିସ୍ର ସ୍ପଷ୍ଟୀକରଣ ପରେ ତାଙ୍କ ରାଜନୈତିକ ଅବସରକୁ ନେଇ ଉଠିଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଗଡକରୀ ଟ୍ରଷ୍ଟର କାର୍ଯ୍ୟରେ ଯୁବପିଢ଼ିଙ୍କୁ ଅଧିକ ଦାୟିତ୍ୱ ଦେବା ସମ୍ପର୍କରେ ହିଁ ମନ୍ତବ୍ୟ ଦେଇଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଥିବାରୁ ଏହାକୁ ତାଙ୍କ ରାଜନୈତିକ ଅବସରର ସଙ୍କେତ ଭାବେ ନେବା ଠିକ୍ ନୁହେଁ।

