ବଲାଙ୍ଗିରରେ ଅଘଟଣ: ଶାଳୀଙ୍କୁ ନେଇ ଫେରାର ବେଳେ ବିଦ୍ୟୁତ୍ ଫାଶରେ ପଡ଼ି ଭିଣୋଇ ମୃତ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଧୀନ ମହଦା ପାହାଡ଼ ପାଦଦେଶ ଅନ୍ଧାରୀ ଜଙ୍ଗଲରେ ଅଘଟଣ। ସମ୍ପର୍କୀୟ ବାକ୍ଶକ୍ତିହୀନ ଶାଳୀଙ୍କୁ ନେଇ ଫେରାର ହେଉଥିବା ବେଳେ ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ୪୫ ବର୍ଷୀୟ କ୍ଷେତ୍ର ବାଗ୍ଙ୍କ ମୃତ୍ୟୁ ଘଟିଛି। ଶାଳୀ ମଧ୍ୟ ଗୁରୁତର ହୋଇଥିଲେ। ତେବେ ଫାଶରୁ ବର୍ତ୍ତି ସେ ଏକ କୁକୁଡ଼ା ଫାର୍ମରେ ପହଞ୍ଚିବା ପରେ ପୁଲିସ୍କୁ ଖବର ଦିଆଯାଇଥିଲା।
ସୂଚନା ଅନୁସାରେ, କ୍ଷେତ୍ର ପୂର୍ବରୁ ତିନିଜଣ ମହିଳାଙ୍କୁ ବିବାହ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ସେହି ତିନିଜଣ ସ୍ତ୍ରୀଙ୍କ ମଧ୍ୟରୁ କାହାରି ଖୋଜଖବର ମିଳୁନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଗତ ଗୁରୁବାର ରାତିରେ କକା ଶ୍ୱଶୁରଙ୍କ ବାକ୍ଶକ୍ତିହୀନ ଝିଅଙ୍କୁ ନେଇ ଜଙ୍ଗଲ ରାସ୍ତାରେ ଫେରାର ହେଉଥିବା ବେଳେ ଏହି ବିଦ୍ୟୁତ୍ ଫାଶରେ ଫସିଥିଲେ। ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରାଯାଇ ଜଙ୍ଗଲର ଏକ ପଥର ଖୋଲରୁ କ୍ଷେତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିକାରୀମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ପଥର ଖୋଲରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ଏହି ଜଙ୍ଗଲରେ ବିଦ୍ୟୁତ୍ ତାର ଫାଶରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଏବେ ପୁଣି ମଣିଷ ଏହି ଫାଶର ଶିକାର ହେବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।

