Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Education Policy: ମୋଦୀ ସରକାରଙ୍କ ଶିକ୍ଷା ନୀତି ଉପରେ ବର୍ଷିଲେ ବରିଷ୍ଠ BJP ନେତା ମୁରଲୀ ମନୋହର ଯୋଶୀ, ଦୁର୍ନୀତି ଓ ବେକାରୀକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ମୋଦୀ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷା ବଜେଟ୍‌ରେ ହ୍ରାସ, ସରକାରୀ ବିଦ୍ୟାଳୟ ବନ୍ଦ, ଘରୋଇକରଣ, ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଓ ଦୁର୍ନୀତି ଭଳି ପ୍ରସଙ୍ଗରେ ସେ ଚିନ୍ତା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଯୋଶୀ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍‌କୁ କେବଳ ପରୀକ୍ଷା ବ୍ୟବସ୍ଥାର ତ୍ରୁଟି ଭାବେ ଦେଖିଲେ ହେବ ନାହିଁ। ସମାଜ ଓ ଶାସନ ବ୍ୟବସ୍ଥାରେ ଦୁର୍ନୀତି ବଢ଼ିଲେ ଏହାର ପ୍ରଭାବ ଯୁବପିଢ଼ି ଉପରେ ମଧ୍ୟ ପଡ଼ିଥାଏ ବୋଲି ସେ ମତ ଦେଇଛନ୍ତି।

ଶିକ୍ଷାକୁ କେବଳ ଚାକିରି ପାଇବାର ମାଧ୍ୟମ ଭାବେ ଦେଖିବା ଉଚିତ ନୁହେଁ ବୋଲି ମୁରଲୀ ମନୋହର ଯୋଶୀ କହିଛନ୍ତି। ଶିକ୍ଷା ଅର୍ଥପୂର୍ଣ୍ଣ ହେବା ଦରକାର ଏବଂ ଦେଶର ଶିକ୍ଷା ବ୍ୟବସ୍ଥା କେଉଁ ଦିଗରେ ଯିବ, ସେନେଇ ସ୍ପଷ୍ଟ ଦୃଷ୍ଟିକୋଣ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିସହିତ ଉଚ୍ଚଶିକ୍ଷା ପରେ ମଧ୍ୟ ଯୁବକଯୁବତୀଙ୍କୁ ଉପଯୁକ୍ତ ଚାକିରି ନମିଳିବା ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଅନେକ ଉଚ୍ଚଶିକ୍ଷିତ ଯୁବକଯୁବତୀ ନିଜ ଯୋଗ୍ୟତା ଅନୁସାରେ ଚାକିରି ନପାଇ କମ୍ ବେତନରେ କାମ କରିବାକୁ ବାଧ୍ୟ ହେଉଛନ୍ତି।

ଗୋଟିଏ ପଟେ ଦେଶରେ ନୂଆ କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲାଯାଉଛି, ଅନ୍ୟପଟେ ସେଠାରୁ ପାଠପଢ଼ି ବାହାରୁଥିବା ଯୁବବର୍ଗ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ନଥିବାକୁ ନେଇ ଯୋଶୀ ପ୍ରଶ୍ନ ଉଠାଇଛନ୍ତି। ଏମଏ, ପିଏଚଡି ଓ ବିଏଡ୍ ଭଳି ଉଚ୍ଚ ଡିଗ୍ରୀ ହାସଲ କରିଥିବା ଲୋକେ ମଧ୍ୟ କମ୍ ବେତନରେ ଚୁକ୍ତିଭିତ୍ତିକ କାମ କରୁଥିବା ଉଦାହରଣ ଦେଇ ସେ ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ଥିବା ଦୂରତାକୁ ଦର୍ଶାଇଛନ୍ତି। ଯୋଶୀଙ୍କ ଏହି ମନ୍ତବ୍ୟ ଦଳ ଭିତରୁ ଶିକ୍ଷା ଓ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଉଠିଥିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱର ଭାବେ ଚର୍ଚ୍ଚାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ