Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nepal Flood Rescue: ବନ୍ୟା ମୁହଁରୁ  ଅଳ୍ପକେ ବଞ୍ଚିଲେ ୧,୬୪୩ ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ଉପସ୍ଥିତ ବୁଦ୍ଧି ଟାଳିଦେଲା ବଡ଼ ବିପଦ

ନେପାଳ: ନେପାଳରେ ଆକସ୍ମିକ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଧ୍ୱଂସର ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏହାରି ମଧ୍ୟରେ ଆସିଛି ଆଶ୍ୱସ୍ତିର ଖବର। ଜଣେ ପ୍ରଧାନଶିକ୍ଷକଙ୍କ ସମୟୋପଯୋଗୀ ନିଷ୍ପତ୍ତି ଯୋଗୁଁ ବଞ୍ଚିଯାଇଛି ୧,୬୪୩ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ। ତ୍ରିଶୁଳୀ ଉପତ୍ୟକାର ତ୍ରିଭୁବନ ତ୍ରିଶୁଳୀ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍‌ରେ ପାଠପଢ଼ା ଚାଲିଥିବା ବେଳେ ପ୍ରଧାନଶିକ୍ଷକ ତଥା ଇଂରାଜୀ ଶିକ୍ଷକ ରାଜେନ୍ଦ୍ର ଦାୱାଡିଙ୍କ ପାଖକୁ ଏକ ଫୋନ୍‌ ଆସିଥିଲା। ନିକଟବର୍ତ୍ତୀ ଗାଁକୁ ନଦୀ ଭସାଇ ନେଉଥିବା ନେଇ ତାଙ୍କ ବନ୍ଧୁ ସତର୍କ କରିଥିଲେ।

ପ୍ରଥମେ ଦାୱାଡି ଭାବିଥିଲେ ଯେ ତିନି ମହଲାର କଂକ୍ରିଟ୍‌ ସ୍କୁଲ କୋଠାଟି ନଦୀଠାରୁ ପ୍ରାୟ ୬୦ ମିଟର ଉଚ୍ଚରେ ଥିବାରୁ ଏହା ସୁରକ୍ଷିତ ରହିବ। କିନ୍ତୁ କିଛି ସମୟ ପରେ ଜଣେ ଅଭିଭାବକ ସ୍କୁଲରେ ପହଞ୍ଚି ଜଳସ୍ତର ଦ୍ରୁତ ଗତିରେ ବଢ଼ୁଥିବା ନେଇ ଜଣାଇଥିଲେ। ବିଳମ୍ବ ନକରି ଦାୱାଡି ସ୍କୁଲ ଘଣ୍ଟା ବଜାଇ ସମସ୍ତ ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀକୋଠରୁ ବାହାରକୁ ନେଇ ସୁରକ୍ଷିତ ଉଚ୍ଚ ସ୍ଥାନକୁ ଯିବାକୁ କହିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ଦଳ ଦଳ ହୋଇ ଉଚ୍ଚ ସ୍ଥାନକୁ ଯାଇଥିଲେ। ପ୍ରଧାନଶିକ୍ଷକ ମଧ୍ୟ ସମସ୍ତଙ୍କ ପଛରେ ଯାଇଥିଲେ ଏବଂ ଶେଷରେ ସମସ୍ତେ ଏକ ବଡ଼ ଗଛ ତଳେ ଆଶ୍ରୟ ନେଇଥିଲେ।

ରାଜେନ୍ଦ୍ର ଦାୱାଡିଙ୍କ ଏହି ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ୧,୬୪୩ ଛାତ୍ରଛାତ୍ରୀ ଏକ ବଡ଼ ବିପଦରୁ ବଞ୍ଚିଯାଇଥିଲେ। ବନ୍ୟା ପୂର୍ବର ଏବଂ ବନ୍ୟା ପରର ଦୁଇଟି ଚିତ୍ରରୁ ମଧ୍ୟ ଜଳପ୍ରଳୟର ଭୟାବହତା ସ୍ପଷ୍ଟ ହେଉଛି। ବନ୍ୟା ପୂର୍ବରୁ ଯେଉଁଠାରେ ସ୍କୁଲ କୋଠା, ଖେଳପଡ଼ିଆ ଓ ଆଖପାଖ ଅଞ୍ଚଳ ଦେଖାଯାଉଥିଲା, ବନ୍ୟା ପରେ ସେହି ଅଞ୍ଚଳରେ କେବଳ ମାଟି ଓ କାଦୁଅ ଦେଖିବାକୁ ମିଳିଥିଲା। ନେପାଳର ଏହି ଭୟଙ୍କର ବନ୍ୟା ଧ୍ୱଂସର ଚିତ୍ର ଦେଖାଇଥିବା ବେଳେ, ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦାୱାଡିଙ୍କ ସତର୍କତା ଓ ଉପସ୍ଥିତ ବୁଦ୍ଧି ଏକ ବଡ଼ ମାନବୀୟ ବିପର୍ଯ୍ୟୟକୁ ଟାଳି ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ