Grand Canyon Flood: ନେପାଳ ପରେ ଆମେରିକାରେ ବନ୍ୟା ଆତଙ୍କ, ୭୦ରୁ ଅଧିକ ଫସିଲେ; ୧୫ ନିଖୋଜ
ନୂଆଦିଲ୍ଲୀ: ନେପାଳ ପରେ ଆମେରିକାରେ ମଧ୍ୟ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଆମେରିକାର ଆରିଜୋନାସ୍ଥିତ ଗ୍ରାଣ୍ଡ କ୍ୟାନୟନ ଜାତୀୟ ଉଦ୍ୟାନରେ ହଠାତ୍ ଫ୍ଲାସ୍ ଫ୍ଲଡ୍ ଆସିବାରୁ ଆତଙ୍କ ଖେଳିଯାଇଛି। ପ୍ରବଳ ବର୍ଷା ପରେ ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ ୭୦ରୁ ଅଧିକ ଲୋକ ଫସିଯାଇଥିବା ବେଳେ ୧୫ ଜଣ ନିଖୋଜ ଥିବା ସୂଚନା ମିଳିଛି।
ବନ୍ୟାର ପ୍ରଖର ସୁଅରେ ଆଞ୍ଜେଲ କ୍ରିକ୍ ଉପରେ ଥିବା ଏକ ଫୁଟ୍ବ୍ରିଜ୍ ଧୋଇଯାଇଛି। ଫଳରେ ଆଞ୍ଜେଲ କ୍ୟାନୟନ ଏବଂ ଫାଣ୍ଟମ୍ ରାଞ୍ଚ୍ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟା ଆସିବା ସମୟରେ ଅନେକ ପର୍ଯ୍ୟଟକ ଓ ପର୍ବତାରୋହୀ ଜାତୀୟ ଉଦ୍ୟାନରେ ଥିଲେ। ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ କିଛି ଲୋକ ସୁଅରେ ଭାସିଯାଇଥିଲେ। ପରେ ଉଦ୍ଧାରକାରୀ ଦଳ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
କୋଲୋରାଡୋ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଏହି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ବନ୍ୟା ପରେ ଗ୍ରାଣ୍ଡ କ୍ୟାନୟନ ଏବଂ ବ୍ରାଇଟ୍ ଆଞ୍ଜେଲ କ୍ୟାମ୍ପଗ୍ରାଉଣ୍ଡ ଅଞ୍ଚଳରେ ଫସିଥିବା ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଉଦ୍ଧାର କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ଉଦ୍ୟାନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି। ସେଠାରେ ରହୁଥିବା ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଏହାସହ ଆଗକୁ ପୁଣି ବନ୍ୟାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

