Delhi Police: ଛାତ୍ର ଆନ୍ଦୋଳନ ସମ୍ପର୍କିତ ୧୩ FIR ଆଉ ଚଲାଇବାକୁ ଚାହୁଁନି ଦିଲ୍ଲୀ ପୁଲିସ, SCଙ୍କ ଅନୁମତି ଲୋଡ଼ିଲା
ନୂଆଦିଲ୍ଲୀ: ଗତ ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ରୁଜୁ ହୋଇଥିବା ୧୩ଟି FIR ଆଉ ଆଗକୁ ଚଳାଇବାକୁ ଚାହୁଁନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଦିଲ୍ଲୀ ପୁଲିସ। ଏନେଇ ପୁଲିସ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଜୁଲାଇ ୨୫ରେ କେନ୍ଦ୍ର ସରକାର ଏହି ଆନ୍ଦୋଳନ ସମ୍ପର୍କିତ FIRଗୁଡ଼ିକୁ ଆଗକୁ ନେବା ନେଇ ନିଷ୍ପତ୍ତି ନେଇଥିବାରୁ ଦିଲ୍ଲୀ ପୁଲିସ ଏହି ପଦକ୍ଷେପ ନେଇଥିବା ଆବେଦନରେ ଦର୍ଶାଇଛି।
ତେବେ ୧୩ଟି FIRକୁ ଆଗକୁ ନେବାକୁ ଅନିଚ୍ଛା ପ୍ରକାଶ କରିଥିବା ପୁଲିସ ଏହି ମାମଲାରେ ଚିହ୍ନଟ ହୋଇଥିବା ୨,୮୭୩ ଜଣ ବ୍ୟକ୍ତିଙ୍କ ବିରୋଧରେ ପୃଥକ ଭାବେ ନୂଆ FIR ରୁଜୁ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛି। ପୁଲିସର ଦାବି ଅନୁସାରେ, ଏହି ବ୍ୟକ୍ତିମାନଙ୍କର ଗୁରୁତର ଅପରାଧିକ ପୂର୍ବ ରେକର୍ଡ ରହିଛି। ଏହି ନୂଆ FIR ଏବଂ ପରବର୍ତ୍ତୀ ତଦନ୍ତ ସୁପ୍ରିମକୋର୍ଟଙ୍କ ଅଗଷ୍ଟ ୩, ୨୦୨୬ ଆଦେଶରେ ‘criminal antecedents’ ସମ୍ପର୍କରେ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ କରାଯିବ ବୋଲି ପୁଲିସ କହିଛି।
ଆବେଦନରେ ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି ଯେ, ଜୁଲାଇ ୨୦ରୁ ୨୫ ମଧ୍ୟରେ ହୋଇଥିବା CJP ଆନ୍ଦୋଳନ ସମ୍ପର୍କିତ ୧୩ଟି FIRକୁ ଆଉ ଆଗକୁ ନେବାକୁ ଏହା ଚାହୁଁନାହିଁ। ତେଣୁ ଏହି ୧୩ଟି FIRକୁ ରଦ୍ଦ କରିବା ସହ ୨,୮୭୩ ଜଣ ଚିହ୍ନଟ ବ୍ୟକ୍ତିଙ୍କ ବିରୋଧରେ ପୃଥକ FIR ରୁଜୁ କରି ତଦନ୍ତ କରିବାକୁ ଅନୁମତି ଦେବା ପାଇଁ ପୁଲିସ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛି। ତେବେ ବର୍ତ୍ତମାନର ଆବେଦନରେ ଥିବା ଘଟଣାଗୁଡ଼ିକ ସମ୍ପର୍କରେ ଏହି ପୃଥକ FIR ବ୍ୟତୀତ ଅନ୍ୟ କୌଣସି ନୂଆ ମାମଲା ରୁଜୁ ହେବ ନାହିଁ ବୋଲି ମଧ୍ୟ ପୁଲିସ ସ୍ପଷ୍ଟ କରିଛି।

