Maharashtra Mother’s Inspiring Run: ୪୭ ବର୍ଷୀୟ Ramabai ଚପଲ ଖୋଲି ଖାଲି ପାଦରେ ଦୌଡ଼ିଲେ, ଜିତିଲେ ₹୩,୦୦୦
ମହାରାଷ୍ଟ୍ରର ଅମ୍ବାଜୋଗାଇର ୪୭ ବର୍ଷୀୟା ରମାବାଇ ରଣବୀରଙ୍କ କାହାଣୀ ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କ ଲାଳନପାଳନ ଓ ପାଠପଢ଼ାର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଥିଲା। ପରିବାର ଚଳାଇବା ସହ ଝିଅମାନଙ୍କ ଶିକ୍ଷା ଜାରି ରଖିବା ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି। ସ୍ଥାନୀୟ ‘ଅମୃତ ଦୌଡ଼’ ମାରାଥନର ବିଜେତାଙ୍କୁ ୩ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଜାଣିବା ପରେ ରମାବାଇ ଏଥିରେ ଭାଗ ନେବାକୁ ସ୍ଥିର କରିଥିଲେ। ତାଙ୍କ ପାଇଁ ଏହି ୩ ହଜାର ଟଙ୍କା କେବଳ ପୁରସ୍କାର ନଥିଲା, ବରଂ ଝିଅମାନଙ୍କ ପାଠପଢ଼ାରେ ସହାୟତା କରିବାର ଏକ ଆଶା ଥିଲା।
ରମାବାଇଙ୍କ ପାଖରେ ନଥିଲା ପ୍ରଫେସନାଲ୍ ରନିଂ ଶୁଜ୍, ସ୍ପୋର୍ଟସ୍ୱେୟାର କିମ୍ବା ବିଶେଷ ତାଲିମ। ସେ ସରଳ ଶାଢ଼ି ଓ ଚପଲ ପିନ୍ଧି ମାରାଥନରେ ପହଞ୍ଚିଥିଲେ। ଦୌଡ଼ ଆରମ୍ଭ ହେବା ପରେ ଚପଲ ଯୋଗୁଁ ତାଙ୍କୁ ଦୌଡ଼ିବାରେ ସମସ୍ୟା ହୋଇଥିଲା। କିନ୍ତୁ ସେ ହାର ମାନିନଥିଲେ। ଚପଲ ଖୋଲି ହାତରେ ଧରି ଖାଲି ପାଦରେ ଦୌଡ଼ିବା ଆରମ୍ଭ କରିଥିଲେ। ଚାରିପାଖରେ ଅନେକ ଯୁବ ଧାବକ ପ୍ରସ୍ତୁତି ସହ ପ୍ରଫେସନାଲ୍ ଜୋତା ପିନ୍ଧି ଦୌଡ଼ୁଥିବା ବେଳେ ରମାବାଇଙ୍କ ମନରେ ଥିଲା କେବଳ ଦୁଇ ଝିଅଙ୍କ ଭବିଷ୍ୟତ। ପ୍ରତ୍ୟେକ ପାଦ ତାଙ୍କ ପାଇଁ କଷ୍ଟକର ଥିଲେ ମଧ୍ୟ ଝିଅମାନଙ୍କ ପାଠପଢ଼ା ଚିନ୍ତା ତାଙ୍କୁ ଆଗକୁ ବଢ଼ାଇଥିଲା।
ଶେଷରେ ରମାବାଇ ସମସ୍ତଙ୍କୁ ପଛରେ ପକାଇ ପ୍ରଥମେ ଫିନିଶ୍ ଲାଇନ୍ ପାର୍ କରି ମାରାଥନ ଜିତିଥିଲେ। ଏଥିସହ ସେ ୩ ହଜାର ଟଙ୍କାର ପୁରସ୍କାର ମଧ୍ୟ ଜିତିଥିଲେ, ଯାହାକୁ ସେ ନିଜ ଝିଅମାନଙ୍କ ଶିକ୍ଷା ପାଇଁ ବ୍ୟବହାର କରିବାକୁ ଚାହୁଁଥିଲେ। ତାଙ୍କ ସଂଘର୍ଷ ଦେଖାଇଦେଇଛି ଯେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଅଭାବ କେବେ ବି ସ୍ୱପ୍ନର ବାଧା ହୋଇପାରେ ନାହିଁ। ଜଣେ ମା’ ନିଜ ସନ୍ତାନଙ୍କ ଭବିଷ୍ୟତ ପାଇଁ କେତେ ଦୂର ଯାଇପାରନ୍ତି, ରମାବାଇଙ୍କ ଏହି ଦୌଡ଼ ତାହାର ଏକ ଉଦାହରଣ। ତାଙ୍କ ଝିଅମାନଙ୍କ ଶିକ୍ଷା ପାଇଁ ମହାରାଷ୍ଟ୍ର ସରକାର ଅଧିକ ସହାୟତା କରିବା ଉଚିତ ବୋଲି ମଧ୍ୟ ଦାବି ଉଠିଛି।

