SCO ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବାକୁ ମୋଦୀଙ୍କ ଆହ୍ୱାନ, ‘Security-Connectivity-Opportunity’
କିର୍ଗିଜସ୍ତାନର ବିଶ୍କେକ୍ଠାରେ ଆୟୋଜିତ ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ତିନିଟି ପ୍ରମୁଖ ପ୍ରାଥମିକତା—‘ସିକ୍ୟୁରିଟି, କନେକ୍ଟିଭିଟି ଓ ଅପର୍ଚ୍ଚୁନିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି। SCOର ୨୫ ବର୍ଷର ଯାତ୍ରା ପରେ ଆଗାମୀ ୨୫ ବର୍ଷରେ ସହଯୋଗକୁ କେବଳ ଆଲୋଚନା ମଧ୍ୟରେ ସୀମିତ ନରଖି ଏହାକୁ ଦୃଶ୍ୟମାନ ଫଳାଫଳରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବିଶ୍ୱ ଅନିଶ୍ଚିତତା ଓ ଅସ୍ଥିରତା ଦେଇ ଗତି କରୁଥିବା ବେଳେ ସାମୂହିକ ଭୂଗୋଳକୁ ସାମୂହିକ ସୁଯୋଗରେ ପରିଣତ କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।
ଆତଙ୍କବାଦକୁ ନେଇ ମୋଦୀ କହିଛନ୍ତି, ଏହା ବିରୋଧରେ କେବଳ ଆକ୍ସନ୍-ରିଆକ୍ସନ୍ ନୀତି ଯଥେଷ୍ଟ ନୁହେଁ। ଆତଙ୍କବାଦୀଙ୍କ ଅର୍ଥ ଯୋଗାଣ, ନିଯୁକ୍ତି, ଉଗ୍ରୀକରଣ ଓ ସୁରକ୍ଷିତ ଆଶ୍ରୟସ୍ଥଳର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଧ୍ୱଂସ କରିବା ଦରକାର ଏବଂ ଏ ପ୍ରସଙ୍ଗରେ ସମସ୍ତ ଦେଶଙ୍କୁ ଏକ ସ୍ୱରରେ କଥା କହିବାକୁ ପଡ଼ିବ। ଆତଙ୍କବାଦକୁ ନୀତିର ଏକ ଉପକରଣ ଭାବେ ବ୍ୟବହାର କରୁଥିବା ଦେଶଗୁଡ଼ିକୁ ମଧ୍ୟ ଦୃଢ଼ ବାର୍ତ୍ତା ଦେବାକୁ ସେ କହିଛନ୍ତି। ପଶ୍ଚିମ ଏସିଆର ସଂଘର୍ଷର ପ୍ରଭାବ ଶକ୍ତି ସୁରକ୍ଷା, ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳ ଉପରେ ପଡ଼ୁଥିବାରୁ ଯୁଦ୍ଧ ନୁହେଁ, ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି।
ସେହିପରି ଦୃଢ଼ ଓ ବିଶ୍ୱସନୀୟ କନେକ୍ଟିଭିଟିକୁ ବିକାଶର ଦ୍ୱିତୀୟ ପ୍ରମୁଖ ସ୍ତମ୍ଭ ଭାବେ ଦର୍ଶାଇ ମୋଦୀ ବାଣିଜ୍ୟ, ବଜାର ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ଉପରେ ଜୋର ଦେଇଛନ୍ତି। ତୃତୀୟ ସ୍ତମ୍ଭ ‘ଅପର୍ଚ୍ଚୁନିଟି’ର ଲାଭ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ସେ କହିଛନ୍ତି। ଯୁବପିଢ଼ି ପାଇଁ ନୂଆ ସୁଯୋଗ, ଉଦ୍ୟୋଗୀଙ୍କ ପାଇଁ ନୂଆ ବଜାର ଓ କୃଷକଙ୍କ ପାଇଁ ନୂଆ ପ୍ରଯୁକ୍ତି ସୃଷ୍ଟି ହେବା ହିଁ ସହଯୋଗର ପ୍ରକୃତ ସଫଳତା ବୋଲି ସେ କହିଛନ୍ତି। ଏଥିସହ SCOରେ ସରକାରୀ ସହଯୋଗ ସହିତ ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ଯୁବପିଢ଼ିର ଭାଗିଦାରି ବଢ଼ାଇବାକୁ ମୋଦୀ ଗୁରୁତ୍ୱ ଦେଇଛନ୍ତି।

