Disha Salian Case: ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ CBI
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ବମ୍ବେ ହାଇକୋର୍ଟ। ବୁଧବାର କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ମାମଲାରେ FIR ରୁଜୁ କରି ଗଭୀର ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଶାଙ୍କ ବାପା ସତୀଶ ସାଲିଆନ ମୁମ୍ବାଇ ପୁଲିସର ତଦନ୍ତରେ ତ୍ରୁଟି ଥିବା ଅଭିଯୋଗ କରି ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ମୁମ୍ବାଇ ପୁଲିସକୁ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ CBIକୁ ହସ୍ତାନ୍ତର କରିବାକୁ କହିଛନ୍ତି।
ଦିଶା ସାଲିଆନ ୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ମାଲାଡ ଅଞ୍ଚଳର ଏକ ଆବାସିକ କୋଠାର ୧୪ତମ ମହଲାରୁ ତଳକୁ ପଡ଼ି ମୃତ୍ୟୁବରଣ କରିଥିଲେ। ଏହାର କିଛି ଦିନ ପରେ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ତାଙ୍କ ବାନ୍ଦ୍ରାସ୍ଥିତ ଫ୍ଲାଟରେ ମୃତ ଅବସ୍ଥାରେ ମିଳିଥିଲେ। ଦିଶାଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ ପ୍ରଥମେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ADR) ରୁଜୁ କରିଥିଲା। ପରେ ପୁଲିସ ତଦନ୍ତ କରି ଏହା ଆତ୍ମହତ୍ୟା ବୋଲି ଦାବି କରିଥିଲା। ତେବେ ଦିଶାଙ୍କ ବାପା ତାଙ୍କ ଝିଅଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରି ଗତବର୍ଷ ହାଇକୋର୍ଟରେ ଆବେଦନ କରିଥିଲେ।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ତଦନ୍ତକାରୀ ଅଧିକାରୀଙ୍କୁ କୌଣସି ବ୍ୟକ୍ତିଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନଥିଲେ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବ ନାହିଁ। ତଦନ୍ତରେ କୌଣସି ଅପରାଧ ପ୍ରମାଣିତ ନହେଲେ CBI ସମ୍ପୃକ୍ତ କୋର୍ଟରେ ଉପଯୁକ୍ତ ରିପୋର୍ଟ ଦାଖଲ କରିବ। ଏପରି ରିପୋର୍ଟ ବିରୋଧରେ ସତୀଶ ସାଲିଆନଙ୍କୁ ଆପତ୍ତି ଉଠାଇବାର ଅଧିକାର ମଧ୍ୟ ରହିବ। ଏହାସହ ଦିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ADRର ନକଲ ପରିବାରକୁ ଦୀର୍ଘ ସମୟ ଧରି ଦିଆଯାଇନଥିବା ନେଇ ମଧ୍ୟ ପୂର୍ବ ଶୁଣାଣିରେ କୋର୍ଟ ଚିନ୍ତା ପ୍ରକାଶ କରିଥିଲେ।

