Cyber Fraud: ‘Red Fort Blast’ ନାଁରେ ଧମକ ଦେଇ ବୃଦ୍ଧ ଦମ୍ପତିଙ୍କଠାରୁ ୩୦ ଲକ୍ଷ ଠକେଇ, ୭ ଦିନ ଡିଜିଟାଲ୍ ଆରେଷ୍ଟ
ନୂଆଦିଲ୍ଲୀ: ଦିଲ୍ଲୀରେ ସାଇବର ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏନ୍ଆଇଏ ଓ ଏଟିଏସ୍ ଅଧିକାରୀ ପରି ପରିଚୟ ଦେଇ ଠକମାନେ ୭୪ ବର୍ଷୀୟ ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ ପ୍ରାୟ ୭ ଦିନ ଧରି ‘ଡିଜିଟାଲ୍ ଆରେଷ୍ଟ’ରେ ରଖିଥିଲେ। ରେଡ୍ ଫୋର୍ଟ ବିସ୍ଫୋରଣ ଘଟଣାରେ ସେମାନଙ୍କ ବ୍ୟାଙ୍କ ଖାତାରୁ ଆତଙ୍କବାଦୀଙ୍କୁ ଟଙ୍କା ଯାଇଥିବା ମିଥ୍ୟା ଅଭିଯୋଗ କରି ଭୟଭୀତ କରାଯାଇଥିଲା। ଗିରଫ ହେବାର ଧମକ ଦେଇ ଦମ୍ପତିଙ୍କୁ କାହା ସହ କଥା ନହେବାକୁ କୁହାଯାଇଥିଲା। ଏପରିକି ହ୍ୱାଟ୍ସଆପ୍ରେ ଏକ ନକଲି ‘ଗୋପନୀୟତା ଚୁକ୍ତି’ ପଠାଇ ଦସ୍ତଖତ କରାଯାଇଥିଲା ଏବଂ ବ୍ୟାଙ୍କ ଖାତା, ଫିକ୍ସଡ୍ ଡିପୋଜିଟ୍ ଓ ଅନ୍ୟ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ନିଆଯାଇଥିଲା।
ଠକମାନେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହି ଟଙ୍କାର ଉତ୍ସ ଯାଞ୍ଚ କରିବା ନାଁରେ ଆରବିଆଇ ଅନୁମୋଦିତ ଖାତାକୁ ଟଙ୍କା ପଠାଇବାକୁ କହିଥିଲେ। ଡିସେମ୍ବର ୩ ତାରିଖରେ ବୃଦ୍ଧ ଜଣକ ନିଜ ଫିକ୍ସଡ୍ ଡିପୋଜିଟ୍ ଭାଙ୍ଗି ୩୦ ଲକ୍ଷ ଟଙ୍କା ଉଠାଇଥିଲେ। ପ୍ରଥମେ ୧୫ ଲକ୍ଷ ଟଙ୍କା RTGS ମାଧ୍ୟମରେ ପଠାଇଥିବା ବେଳେ ପରଦିନ ଆଉ ୧୫ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ଠକମାନେ ଆରବିଆଇ ଗଭର୍ଣ୍ଣରଙ୍କ ମୋହର ଥିବା ଏକ ନକଲି ‘Verification Letter’ ମଧ୍ୟ ପଠାଇଥିଲେ। କିଛି ସମୟ ପରେ ସେମାନେ ଫୋନ୍ ଉଠାଇବା ବନ୍ଦ କରିଦେବାରୁ ବୃଦ୍ଧ ଦମ୍ପତି ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
ପୁଲିସ ପ୍ରାୟ ୬ ମାସର ତଦନ୍ତ ପରେ ଟଙ୍କାର ଗୁରୁତ୍ୱପୂର୍ଣ୍ଣ ସୁରାକ୍ ପାଇଥିଲା। ମେ’ ମାସରେ ଗୋଟିଏ RTGS ଟ୍ରାଞ୍ଜାକ୍ସନ୍ ହରିୟାଣାର ଫତେହାବାଦ ନିବାସୀ ସୁନୀଲ ସିଙ୍ଗଲାଙ୍କ ନାଁରେ ଥିବା ‘ଶ୍ରୀ ବାଲାଜୀ ଟ୍ରାକ୍ଟର’ କମ୍ପାନୀର ବ୍ୟାଙ୍କ ଖାତାକୁ ଯାଇଥିବା ଜଣାପଡ଼ିଥିଲା। ଏହି ଖାତା ମାଧ୍ୟମରେ ୬ରୁ ଅଧିକ ସାଇବର ଠକେଇ ମାମଲାରେ ପ୍ରାୟ ୧ କୋଟି ଟଙ୍କାର କାରବାର ହୋଇଥିବା ପୁଲିସ କହିଛି। ମେ’ ୧୧ରେ ସୁନୀଲଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେ ଅନଲାଇନ୍ ଋଣ ଖୋଜୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ କମିଶନ ବଦଳରେ ନିଜ ବ୍ୟାଙ୍କ ଖାତା ମାଧ୍ୟମରେ ବଡ଼ ଅର୍ଥରାଶିର କାରବାର କରିବାକୁ ପ୍ରସ୍ତାବ ଦେଇଥିବା କହିଥିଲେ। ପୁଲିସ ଗୋଟିଏ ୧୫ ଲକ୍ଷ ଟଙ୍କାର କିସ୍ତିକୁ ଆଗକୁ ଯିବାରୁ ରୋକିବାରେ ସଫଳ ହୋଇଥିବା ବେଳେ ୧୨ ଲକ୍ଷ ଟଙ୍କା ଉଦ୍ଧାର କରି ବୃଦ୍ଧଙ୍କୁ ଫେରାଇ ଦିଆଯାଇଛି। ପୁଲିସ କହିଛି, ବଡ଼ ଅପରାଧର ନାଁ ନେଇ ଭୟ ସୃଷ୍ଟି କରିବା, ନକଲି ନୋଟିସ୍ ଦେବା ଓ ଗିରଫ ଧମକ ଦେଇ ଟଙ୍କା ଆଦାୟ କରିବା ଭଳି କୌଶଳ ଏବେ ସାଇବର ଠକମାନେ ବ୍ୟବହାର କରୁଛନ୍ତି।

