Assam Crime: ମାଛ କାଟିବା କାତିରେ ପତ୍ନୀ ଓ ୩ ନାବାଳକ ପିଲାଙ୍କୁ ହତ୍ୟା, ଶିକ୍ଷକ ଗିରଫ
ଆସାମ: ଆସାମର ଜୋନାଇ ଅଞ୍ଚଳରେ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ବୁଧବାର ସକାଳେ ଟେଲାମ ବଜାର ଅଞ୍ଚଳରେ ଜଣେ ସ୍କୁଲ୍ ଶିକ୍ଷକ ନିଜ ପତ୍ନୀ ଓ ୩ ନାବାଳକ ପିଲାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ କହିଛି। ଅଭିଯୁକ୍ତଙ୍କୁ ୫୫ ବର୍ଷୀୟ ଫିରୋଜ ଅଲି ବୋଲି ଚିହ୍ନଟ କରାଯାଇଛି। ମୃତକମାନେ ହେଲେ ୩୩ ବର୍ଷୀୟା ଚିନୁୱାରା ବେଗମ୍, ୧୩ ବର୍ଷୀୟ ନେଇନା ଅଖତର, ୮ ବର୍ଷୀୟ ସାଖିଲ ଅଲି ଓ ୫ ବର୍ଷୀୟ ରିଜିକା। ଘଟଣା ପରେ ପୁଲିସ ଫିରୋଜଙ୍କୁ ହେପାଜତରେ ନେଇ ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ସୂଚନା ଅନୁସାରେ, ଫିରୋଜ ଗାମଚୁକ୍ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରୁଥିଲେ ଏବଂ ତାଙ୍କ ମାସିକ ଦରମା ପ୍ରାୟ ୧୦ ହଜାର ଟଙ୍କା ଥିଲା। ଆର୍ଥିକ ସମସ୍ୟା ଯୋଗୁଁ ସେ ଚାପରେ ଥିବା ଏବଂ ସେହି କାରଣରୁ ପତ୍ନୀ ଓ ପିଲାମାନଙ୍କୁ ହତ୍ୟା କରିଥିବା ପୁଲିସକୁ କହିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ। ପରେ ପୁଲିସ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା।
ଘଟଣାସ୍ଥଳରେ ପୁଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ଚାରିଜଣଙ୍କ ହତ୍ୟା ନେଇ ଅଭିଯୁକ୍ତ ଫିରୋଜ ଅଲି ସ୍ୱୀକାର କରିଥିବା ପୁଲିସ କହିଛି। ତେବେ ହତ୍ୟା ପଛରେ ଆର୍ଥିକ ସମସ୍ୟା ବ୍ୟତୀତ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି।

