Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cycle Love Story: ପ୍ରେମ ପାଇଁ ୬,୦୦୦ ମାଇଲ୍‌ ସାଇକେଲ୍‌ ଯାତ୍ରା, ଓଡ଼ିଆ ପେଣ୍ଟର୍‌ P.K. Mahanandiaଙ୍କ ଅସାଧାରଣ ପ୍ରେମ କାହାଣୀ ଖୁବ୍‌ଶୀଘ୍ର ବଡ ପରଦାରେ, ସହ-ପ୍ରଯୋଜକ ପ୍ରିୟଙ୍କା ଚୋପ୍ରା

ନୂଆଦିଲ୍ଲୀ: ପ୍ରେମ ପାଇଁ ଜଣେ ଯୁବକଙ୍କ ୬,୦୦୦ ମାଇଲ୍‌ର ସାଇକେଲ୍‌ ଯାତ୍ରା। ଶୁଣିବାକୁ ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ଏକ ସତ ଘଟଣା। ଓଡ଼ିଶାର ଅନୁଗୁଳରେ ଜନ୍ମିତ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ, ଯାହାଙ୍କୁ ପି.କେ. ମହାନନ୍ଦିଆ ନାମରେ ଜଣାଯାଏ, ୧୯୭୫ରେ ଦିଲ୍ଲୀରେ ଜଣେ ସ୍ୱିଡିଶ୍‌ ପର୍ଯ୍ୟଟକ ଲୋଟା ଭନ୍‌ ସେଡଭିନ୍‌ଙ୍କୁ ଭେଟିଥିଲେ। ସେତେବେଳେ ମହାନନ୍ଦିଆ ରାସ୍ତାକଡ଼ରେ ଲୋକଙ୍କ ଚିତ୍ର ଆଙ୍କି ଜୀବିକା ଚଳାଉଥିଲେ। ଲୋଟା ତାଙ୍କ ପାଖରେ ନିଜର ଏକ ପୋର୍ଟ୍ରେଟ୍‌ ଆଙ୍କିବାକୁ କହିଥିଲେ। ଏହି ସାକ୍ଷାତ ଧୀରେ ଧୀରେ ଗଭୀର ପ୍ରେମରେ ପରିଣତ ହୋଇଥିଲା।

ଲୋଟା ସ୍ୱିଡେନ୍‌ ଫେରିଯିବା ପରେ ତାଙ୍କୁ ପୁଣି ଭେଟିବା ପାଇଁ ମହାନନ୍ଦିଆ ଏକ ଅସାଧାରଣ ନିଷ୍ପତ୍ତି ନେଇଥିଲେ। ତାଙ୍କ ପାଖରେ ବିମାନ ଟିକେଟ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନଥିଲା। ତେଣୁ ୧୯୭୭ରେ ସେ ଏକ ସେକେଣ୍ଡହାଣ୍ଡ୍‌ ସାଇକେଲ୍‌ ନେଇ ଦିଲ୍ଲୀରୁ ସ୍ୱିଡେନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୧୨୦ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ସେ ହଜାର ହଜାର କିଲୋମିଟର ଅତିକ୍ରମ କରି ଶେଷରେ ସ୍ୱିଡେନ୍‌ର ବୋରାସ୍‌ରେ ଲୋଟାଙ୍କୁ ଭେଟିଥିଲେ। ପିଲାଦିନେ ଜଣେ ଜ୍ୟୋତିଷଙ୍କଠାରୁ ନିଜ ଭବିଷ୍ୟତ ପତ୍ନୀ ଦୂର ଦେଶରୁ ଆସିବେ ବୋଲି ଶୁଣିଥିବା ମହାନନ୍ଦିଆଙ୍କ ବିଶ୍ୱାସ ମଧ୍ୟ ଏହି କାହାଣୀର ଏକ ବିଶେଷ ଅଂଶ।

ଏହି ଅସାଧାରଣ ପ୍ରେମ କାହାଣୀକୁ ନେଇ ଏବେ ଆସୁଛି ଡକ୍ୟୁମେଣ୍ଟାରୀ ଫିଲ୍ମ ‘The Cycle of Love’। ଅସ୍କାର ବିଜେତା ନିର୍ଦ୍ଦେଶକ ଅର୍ଲାଣ୍ଡୋ ଭନ୍‌ ଆଇନ୍ସିଡେଲ୍‌ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଏହାର Executive Producer ଭାବେ ଜଡ଼ିତ ଅଛନ୍ତି। ଫିଲ୍ମରେ ଯୁବ ମହାନନ୍ଦିଆ ଓ ଲୋଟାଙ୍କ ଭୂମିକାରେ ଚିରାଗ ଲୋବୋ ଓ ମିନା ଡେଲ୍‌ ଅଭିନୟ କରିଛନ୍ତି। ବିଶେଷ କଥା ହେଉଛି, ଡକ୍ୟୁମେଣ୍ଟାରୀରେ ପ୍ରକୃତ ମହାନନ୍ଦିଆ ଓ ଲୋଟାଙ୍କ ସାକ୍ଷାତକାର ସହ ପ୍ରାୟ ୫୦ ବର୍ଷ ପୁରୁଣା ଘଟଣାର ନାଟ୍ୟରୂପାନ୍ତର ମଧ୍ୟ ଦେଖିବାକୁ ମିଳିବ। ୨୦୨୬ ଅଗଷ୍ଟ ୨୮ରେ ଆମେରିକାରେ ଏହା ସୀମିତ ଭାବେ ମୁକ୍ତି ପାଇଛି।

ଡକ୍ୟୁମେଣ୍ଟାରୀକୁ ସମର୍ଥନ କରୁଥିବା ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ‘The Cycle of Love’ର ଟ୍ରେଲର୍‌ ସେୟାର କରିଛନ୍ତି। ଏହି ଅସାଧାରଣ ପ୍ରେମ କାହାଣୀ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା କଥା ସେ କହିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଯେ, ମହାନନ୍ଦିଆଙ୍କ ପ୍ରେମ ପାଇଁ ମହାଦେଶ ପାର୍‌ ହୋଇ ସାଇକେଲ୍‌ରେ ଯାତ୍ରା କରିବାର କାହାଣୀ ପ୍ରଥମେ ଶୁଣିବା ମାତ୍ରେ ସେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ।

ପ୍ରିୟଙ୍କାଙ୍କ କହିବା ଅନୁସାରେ, ଏହା ଏଭଳି ଏକ ଦୁର୍ଲଭ ଓ ପ୍ରାୟ ଅବିଶ୍ୱସନୀୟ ସତ୍ୟ ଘଟଣା, ଯାହା ଶୁଣିବା ପରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ମନରେ ରହିଯାଏ। ପ୍ରେମ ପାଇଁ ଜଣେ ମଣିଷ କେତେ ଦୂର ଯାଇପାରେ, ମହାନନ୍ଦିଆଙ୍କ ଏହି ଯାତ୍ରା ତାହାର ଏକ ଅସାଧାରଣ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories