CRPF Jawaan: ୨୭ ବର୍ଷ ପରେ ଯବାନଙ୍କୁ ମିଳିଲା ନ୍ୟାୟ, ସାଧୁ ବେଶ ଛାଡ଼ି ପିନ୍ଧିଲେ ଖାକି ୟୁନିଫର୍ମ
ନୂଆଦିଲ୍ଲୀ: ୨୭ ବର୍ଷର ଦୀର୍ଘ ଆଇନଗତ ଲଢ଼େଇ ପରେ ପୁଣି ଖାକି ୟୁନିଫର୍ମକୁ ଫେରିଛନ୍ତି CRPF ଯବାନ ଗିରଭର ସିଂହ ତୋମାର। ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଛିଛାୱାଲି ଗାଁର ଗିରଭର ୧୯୯୧ରେ CRPFରେ ହାବିଲଦାର ଭାବେ ଯୋଗ ଦେଇଥିଲେ। ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ ଗାଡ଼ିକୁ ସାଇକେଲରେ ଧକ୍କା ଦେବା ଘଟଣାକୁ ନେଇ ବିବାଦ ହେବା ପରେ ୧୯୯୯ରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।
ଚାକିରି ହରାଇବା ପରେ ଗିରଭର ନ୍ୟାୟ ପାଇଁ ଆଇନଗତ ଲଢ଼େଇ ଆରମ୍ଭ କରିବା ସହ ଧର୍ମ ଓ ଆଧ୍ୟାତ୍ମିକତାରେ ନିଜକୁ ସମର୍ପିତ କରିଥିଲେ। ୨୦୦୧ ସୁଦ୍ଧା ସେ ନିର୍ମୋହୀ ଆଖଡ଼ାର ସଦସ୍ୟ ହୋଇଥିଲେ ଏବଂ ପରେ ‘ଗିରଭର ଦାସ ବାବା’ ଭାବେ ବିଭିନ୍ନ ମନ୍ଦିରରେ ସାଧୁ ଜୀବନ ବିତାଇଥିଲେ। ଅନ୍ୟପଟେ ଚାକିରି ଫେରିପାଇବା ପାଇଁ ତାଙ୍କ ଆଇନଗତ ଲଢ଼େଇ ଜାରି ରହିଥିଲା। ୨୦୦୭ରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ପରେ ମାମଲା ଉପର କୋର୍ଟକୁ ଯାଇଥିଲା। ଶେଷରେ କୋର୍ଟ ତାଙ୍କ ବହିଷ୍କାରକୁ ବେଆଇନ ବୋଲି ଦର୍ଶାଇ ପୁନଃ ଚାକିରିରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅଗଷ୍ଟ ୨୫ ରାତିରେ ମୋରେନାରୁ ଟ୍ରେନ୍ ଯୋଗେ ବିଜାପୁର ଯାଇଥିଲେ ଗିରଭର ଦାସ। ସେଠାରେ ପହଞ୍ଚିବା ପରେ ପ୍ରଥମେ ସେଲୁନ୍ ଯାଇ ଦାଢ଼ି ଓ ଚୁଟି କାଟିଥିଲେ। ଏହାପରେ ସାଧୁ ପୋଷାକ ଛାଡ଼ି ପୁଣି ଖାକି ୟୁନିଫର୍ମ ପିନ୍ଧି CRPFର ୮୫ତମ ବାଟାଲିୟନ୍ରେ ଯୋଗ ଦେଇଥିଲେ। ୨୭ ବର୍ଷ ପରେ ଚାକିରିକୁ ଫେରି ଗିରଭର କହିଛନ୍ତି, “ଏ ସବୁ ଭଗବାନଙ୍କ କୃପାରୁ ହୋଇଛି। ମୋତେ ଘରକୁ ଫେରିଆସିବା ଭଳି ଲାଗୁଛି।” ଖାକିକୁ ଫେରିଥିଲେ ମଧ୍ୟ ସେ ଆଧ୍ୟାତ୍ମିକତାକୁ ଭୁଲିନାହାନ୍ତି। ଦୀର୍ଘ ଲଢ଼େଇ ପରେ ନ୍ୟାୟ ପାଇ ପୁଣି ୟୁନିଫର୍ମକୁ ଫେରିବା ତାଙ୍କ କାହାଣୀ ନିଶ୍ଚିତ ଭାବେ ପ୍ରେରଣାଦାୟୀ।

