ବଲାଙ୍ଗୀର ଦେଓଗାଁ ରେଞ୍ଜରେ ହାତୀ ଆକ୍ରମଣ: ଯୁବକଙ୍କ ମୃତ୍ୟୁ; ବିଳମ୍ବିତ ରାତିରେ ଶବ ଉଦ୍ଧାର, ଅଞ୍ଚଳରେ ଆତଙ୍କ ।
ବଲାଙ୍ଗୀର,୩।୯: ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଯୋଗୁଁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଗାଇବାହାଲ ଗ୍ରାମର ମୁନୁ ବୁଧିଆ ବୋଲି ଚିହ୍ନଟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଦେଓଗାଁ ରେଞ୍ଜର ଗାଇବାହାଲ ଓ ଅଡ଼ା ଗ୍ରାମ ଅଞ୍ଚଳରେ ଗତ କିଛି ଦିନ ହେଲା ପ୍ରାୟ ୨୫ରୁ ୩୦ଟି ହାତୀଙ୍କ ଏକ ପଲ ଉପଦ୍ରବ ଚଳାଇଛନ୍ତି। ସନ୍ଧ୍ୟା ସମୟରେ ମୁନୁ ବାଇକ୍ଟିକୁ ରାସ୍ତା କଡ଼ରେ ରଖି ନିଜ ବିଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କ ମୁଣ୍ଡ, ଗୋଡ଼ ଓ ଅଣ୍ଟାକୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ମୃତ୍ୟୁ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହାତୀଟି ଘଟଣାସ୍ଥଳକୁ ଜଗି ରହିଥିବାରୁ ମୃତଦେହ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ରାତି ପ୍ରାୟ ୧୦ଟା ସମୟରେ ପରିବାର ଲୋକେ ତାଙ୍କର ଖୋଜଖବର ପାଇଥିଲେ। ପରେ ଗ୍ରାମବାସୀ, ବନ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ହାତୀ ଗଲେ ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରାଯାଇଥିଲା। ରାତି ପ୍ରାୟ ୩ଟା ସମୟରେ ତାଙ୍କୁ ଭୀମଭୋଇ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୁନୁ ନିଜ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କ ପରିବାରରେ ବୃଦ୍ଧ ବାପା, ମା’ ଓ ଗୋଟିଏ ଭଉଣୀ ଅଛନ୍ତି। ତାଙ୍କ ଅକାଳ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିବା ସହ ଆର୍ଥିକ ସଙ୍କଟ ଦେଖାଦେଇଛି। ଏଣୁ ସରକାର ଓ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ତୁରନ୍ତ ଉଚିତ କ୍ଷତିପୂରଣ ଯୋଗାଇ ଦେବାକୁ ମୃତକଙ୍କ ମାମୁ ଗୋପାଳ ପ୍ରଧାନ ଓ ଗ୍ରାମବାସୀ ଦାବି କରିଛନ୍ତି।
ଏହି ଘଟଣା ପରେ ଗାଇବାହାଲ ଓ ଆଖପାଖ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିବା ବେଳେ, ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।

