ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ କଣ୍ଟାବାଞ୍ଜି ଓକିଲ ସଂଘର ଧର୍ମଘଟ ପ୍ରତ୍ୟାହୃତ; ସ୍ୱାଭାବିକ ହେଲା ତହସିଲ କାର୍ଯ୍ୟ ।
ବଲାଙ୍ଗୀର,୩।୯: ପ୍ରଶାସନ ପକ୍ଷରୁ ଲିଖିତ ଆଶ୍ୱାସନା ମିଳିବା ପରେ କଣ୍ଟାବାଞ୍ଜି ଓକିଲ ସଂଘ ନିଜର ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ପ୍ରତ୍ୟାହାର କରିଛି। ଫଳରେ ତହସିଲ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକଳାପ ସ୍ୱାଭାବିକ ହେବା ସହ ମକଦ୍ଦମାକାରୀ ଓ ସାଧାରଣ ଜନତା ଆଶ୍ୱସ୍ତି ଲାଭ କରିଛନ୍ତି।
ଜମି ବେଞ୍ଚ ମାର୍କ ବୃଦ୍ଧି ପ୍ରତ୍ୟାହାର, ୩ ଦିନ ମଧ୍ୟରେ ବିଭିନ୍ନ ଦସ୍ତାବିଜର ନକଲ ପ୍ରଦାନ, କାର୍ଯ୍ୟାଳୟରେ ଦୁର୍ନୀତି ଓ ଲାଞ୍ଛ କାରବାର ବନ୍ଦ, ପଟାଦାର ଜମିକୁ ରୟତି ପରିବର୍ତ୍ତନ, ଜମି ମୂଲ୍ୟାୟନ ସଂଶୋଧନ ଏବଂ ତହସିଲର ବିଭିନ୍ନ ଅନିୟମିତତା ଦୂରୀକରଣ ଭଳି ୧୨ ଦଫା ଦାବି ନେଇ ଆଇନଜୀବୀମାନେ ଗତ ଅଗଷ୍ଟ ୩୧ ତାରିଖରୁ ଆନ୍ଦୋଳନରେ ବସିଥିଲେ।
ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଓକିଲ ସଂଘକୁ ଏକ ଲିଖିତ ପ୍ରତିଶ୍ରୁତି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ୧୨ ଦଫା ଦାବିର ତଦନ୍ତ କରାଯାଇ ସରକାରୀ ସ୍ତରରେ ସମାଧାନ ପାଇଁ ଆସନ୍ତା ସେପ୍ଟେମ୍ବର ୩୦, ୨୦୨୬ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ପ୍ରଶାସନର ଏହି ଲିଖିତ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା କଣ୍ଟାବାଞ୍ଜି ଓକିଲ ସଂଘର ସଭାପତି ପ୍ରଫୁଲ୍ଲ ନାୟକ ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାବି ପୂରଣ ନହେଲେ ସଂଘ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

