Mirzapur The Movie: ବକ୍ସ ଅଫିସ୍ରେ ‘ମିର୍ଜାପୁର: ଦି ମୁଭି’ର ଧମାକାଦାର ଓପନିଂ, ଚଳିତ ବର୍ଷର ବେଷ୍ଟ ଓପନିଂ ଫିଲ୍ମ ତାଲିକାରେ ସାମିଲ
ମୁମ୍ବାଇ: ଓଟିଟି ପ୍ଲାଟଫର୍ମ ପ୍ରାଇମ୍ ଭିଡିଓର ଲୋକପ୍ରିୟ ୱେବ୍ ସିରିଜ୍ ‘ମିର୍ଜାପୁର’ ଏବେ ବଡ଼ ପରଦାରେ ନୂଆ ଅଧ୍ୟାୟ ନେଇ ଆସିଛି। ‘ମିର୍ଜାପୁର: ଦି ମୁଭି’ ରିଲିଜ୍ ହେବା ମାତ୍ରେ ବକ୍ସ ଅଫିସ୍ରେ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ ୨୫.୧୫ କୋଟି ଟଙ୍କା ନେଟ୍ କଲେକ୍ସନ କରିଥିବା ରିପୋର୍ଟ ଆସିଛି। ଏହି ଓପନିଂ ସହ ଫିଲ୍ମଟି ଚଳିତ ବର୍ଷର ଶ୍ରେଷ୍ଠ ଓପନିଂ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ ସ୍ଥାନ ପାଇଥିବା ଦାବି କରାଯାଉଛି। ଆକ୍ସନ୍-କ୍ରାଇମ୍ ଥ୍ରିଲର୍ ଫିଲ୍ମଟିକୁ ଦର୍ଶକଙ୍କଠାରୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳୁଥିବା କୁହାଯାଇଛି।
ପୁନୀତ କୃଷ୍ଣଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୁରମିତ ସିଂହ। ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବ୍ୟାନର୍ରେ ରିତେଶ ସିଧୱାନୀ ଓ ଫରହାନ୍ ଅଖତର ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମରେ ଅଲି ଫଜଲ୍, ପଙ୍କଜ ତ୍ରିପାଠୀ, ଦିବ୍ୟେନ୍ଦୁ, ରସିକା ଦୁଗଲ୍, ଅଭିଷେକ ବାନାର୍ଜୀ, ଶ୍ୱେତା ତ୍ରିପାଠୀ ଓ ହର୍ଷିତା ଗୌରଙ୍କ ସମେତ ‘ମିର୍ଜାପୁର’ର ପୁରୁଣା କଳାକାରମାନେ ନିଜ ଚର୍ଚ୍ଚିତ ଭୂମିକାରେ ନଜର ଆସିଛନ୍ତି। ଏହାସହ ଜିତେନ୍ଦ୍ର କୁମାର, ସୋନଲ ଚୌହାନ୍ ଓ ରବି କିଶନଙ୍କ ନୂଆ ଏଣ୍ଟ୍ରି ମଧ୍ୟ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢ଼ାଇଛି। ୨୦୧୮ରେ ଆରମ୍ଭ ହୋଇଥିବା ‘ମିର୍ଜାପୁର’ ୱେବ୍ ସିରିଜ୍ର ଲୋକପ୍ରିୟତାକୁ ଫିଲ୍ମରେ ଆଗକୁ ନିଆଯାଇଛି।
ଏପଟେ ଫିଲ୍ମର ସଫଳତା ପରେ ଏହାର ପରବର୍ତ୍ତୀ ଭାଗକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମର ଶେଷରେ ଥିବା ପୋଷ୍ଟ-କ୍ରେଡିଟ୍ ସିନ୍ରେ ଦିବ୍ୟେନ୍ଦୁ ଓ ଅଲି ଫଜଲଙ୍କ ଚରିତ୍ରକୁ ନେଇ ଏକ ଲଭ୍ ଟ୍ରାଏଙ୍ଗେଲ୍ର ସଙ୍କେତ ଦେଖିବାକୁ ମିଳିଛି। ଉଭୟ ଚରିତ୍ର ସ୍ୱିଟିଙ୍କ ପ୍ରେମରେ ଥିବା ଦୃଶ୍ୟକୁ ନେଇ ସିକ୍ୱେଲ୍ର ସମ୍ଭାବନା ନେଇ ଦର୍ଶକମାନେ ଅନୁମାନ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ନିର୍ମାତାଙ୍କ ପକ୍ଷରୁ ‘ମିର୍ଜାପୁର: ଦି ମୁଭି’ର ଦ୍ୱିତୀୟ ଭାଗ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

