Women’s Asia Cup 2026: ମହିଳା ଏସିଆ ଫାଇନାଲ୍ ପୂର୍ବରୁ ଟ୍ରଫି ବିବାଦ ଆଶଙ୍କା, ମୋହସିନ୍ ନକ୍ଭୀଙ୍କ ଉପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ: ମହିଳା ଏସିଆ କପ୍ ୨୦୨୬ ଫାଇନାଲ୍ ପୂର୍ବରୁ ପୁଣିଥରେ ଟ୍ରଫି ପ୍ରଦାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୩ରେ ଦୁବାଇରେ ହେବାକୁ ଥିବା ଫାଇନାଲ୍ରେ ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ (ACC) ଅଧ୍ୟକ୍ଷ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ମୋହସିନ୍ ନକ୍ଭୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର ସମ୍ଭାବନା ରହିଛି। ଭାରତ ଫାଇନାଲ୍ରେ ପହଞ୍ଚି ଚାମ୍ପିଅନ୍ ହେଲେ, ଟ୍ରଫି କାହା ହାତରୁ ଗ୍ରହଣ କରାଯିବ ତାହାକୁ ନେଇ ଏବେଠାରୁ ପ୍ରଶ୍ନ ଉଠିଛି।
ଏହି ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ୨୦୨୫ ପୁରୁଷ ଏସିଆ କପ୍ ଫାଇନାଲ୍ର ଘଟଣା। ପାକିସ୍ତାନକୁ ହରାଇ ଭାରତ ଚାମ୍ପିଅନ୍ ହୋଇଥିଲେ ମଧ୍ୟ ଭାରତୀୟ ଦଳ ନକ୍ଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିନଥିଲା। ପରେ ନକ୍ଭୀ ଟ୍ରଫିକୁ ନିଜ ସହ ନେଇଯାଇଥିବା ନେଇ ବିବାଦ ହୋଇଥିଲା ଏବଂ ଟ୍ରଫି ଏପର୍ଯ୍ୟନ୍ତ ଭାରତୀୟ ଦଳକୁ ମିଳିନଥିବା ରିପୋର୍ଟ ପ୍ରକାଶ ପାଇଛି। ଏବେ ମହିଳା ଦଳ ସହ ସମାନ ପରିସ୍ଥିତି ଉପୁଜିବ କି ନାହିଁ, ତାହା ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି।
ଚଳିତ ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅପରାଜିତ ରହି ସେମିଫାଇନାଲ୍ରେ ପହଞ୍ଚିଛି ଏବଂ ଟାଇଟଲ୍ର ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି। ସେପ୍ଟେମ୍ବର ୧୩ର ଫାଇନାଲ୍ରେ ଭାରତ ଜିତିଲେ ହରମନପ୍ରୀତଙ୍କ ଦଳ ନକ୍ଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିବ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ଏପର୍ଯ୍ୟନ୍ତ ଭାରତୀୟ ଦଳ କିମ୍ବା BCCI ପକ୍ଷରୁ ଏନେଇ କୌଣସି ଅଧିକାରିକ ଆଭିମୁଖ୍ୟ ସାମ୍ନାକୁ ଆସିନାହିଁ

