Nora Fatehi: ‘Lego Airplane’ କହିବା ମହଙ୍ଗା ପଡ଼ିଲା, ଅଭିନେତ୍ରୀଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା ଦାଏର ହୋଇଛି। ଗୁଜରାଟର ଗାନ୍ଧୀନଗର କୋର୍ଟରେ ବିମାନ ଚଳାଚଳ କମ୍ପାନୀ Dunes Aviation ପକ୍ଷରୁ ଏହି ମାମଲା ଦାଏର କରାଯାଇଛି। କମ୍ପାନୀର ଅଭିଯୋଗ ଅନୁସାରେ, ନୋରା ସୋସିଆଲ ମିଡିଆରେ ଏହାର ଏକ ଚାର୍ଟାର୍ଡ ବିମାନକୁ ‘Lego airplane’, ‘toy’ ଏବଂ ‘miniature’ ବୋଲି କହିଥିଲେ। ଏହି ମନ୍ତବ୍ୟ ଯୋଗୁଁ କମ୍ପାନୀର ପ୍ରତିଷ୍ଠା ଓ ବ୍ୟବସାୟିକ କାରବାର ପ୍ରଭାବିତ ହୋଇଥିବା ଦାବି କରିଛି Dunes Aviation। ମାମଲାର ଶୁଣାଣି ସେପ୍ଟେମ୍ବର ୨୫ରେ ସିନିୟର ସିଭିଲ୍ ଜଜ୍ ଆର୍. ଅଗ୍ରୱାଲଙ୍କ କୋର୍ଟରେ ହେବ।
ମାମଲା ଅନୁସାରେ, ଗତ ଡିସେମ୍ବରରେ ମୁମ୍ବାଇରୁ ଜୟପୁର ଯାତ୍ରା ସମୟରେ ନୋରା Cessna Citation CJ2 ବିମାନ ଭିତରେ କିଛି ଭିଡିଓ ରେକର୍ଡ କରିଥିଲେ। ପରେ ସେଗୁଡ଼ିକୁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ତାଙ୍କର ଏହି ମନ୍ତବ୍ୟକୁ କମ୍ପାନୀ ‘ଅପମାନଜନକ’ ଓ ‘ବେପରୁଆ’ ବୋଲି ଦର୍ଶାଇଛି। ନୋରାଙ୍କର ବିପୁଳ ସୋସିଆଲ ମିଡିଆ ଅନୁସରଣକାରୀ ଥିବାରୁ ଏହି ମନ୍ତବ୍ୟର ପ୍ରଭାବ ଅଧିକ ପଡ଼ିଥିବା କମ୍ପାନୀ ଦାବି କରିଛି।
Dunes Aviation ଦାବି କରିଛି ଯେ, ନୋରାଙ୍କ ମନ୍ତବ୍ୟ ପରେ ଏହାର ବିମାନ ବୁକିଂରେ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ ଘଟିବା ସହ ବାତିଲ୍ ସଂଖ୍ୟା ବଢ଼ିଛି। କମ୍ପାନୀ କହିଛି, ସମ୍ପୃକ୍ତ ବିମାନଟି ମାନକ ଅନୁଯାୟୀ ଥିବା ସହ DGCA ଦ୍ୱାରା ପ୍ରମାଣିତ ଏବଂ ଉଡ଼ାଣ ପାଇଁ ଯୋଗ୍ୟ ଥିଲା। ₹୩ କୋଟି କ୍ଷତିପୂରଣ ବ୍ୟତୀତ ସୋସିଆଲ ମିଡିଆରୁ ସମ୍ପୃକ୍ତ ପୋଷ୍ଟ ହଟାଇବା ଏବଂ ନୋରାଙ୍କ ପକ୍ଷରୁ ସାର୍ବଜନୀନ ସ୍ପଷ୍ଟୀକରଣ ଦେବାକୁ ମଧ୍ୟ କମ୍ପାନୀ କୋର୍ଟଙ୍କ ନିକଟରେ ଦାବି କରିଛି।

