ଚାର ବାହାଲ ସ୍ଥିତ ଏସ.ଏନ.ଏସ. ବିଦ୍ୟାପୀଠ ରେ ଗଣେଶ ଚତୁର୍ଥୀ ପାଳନ।
କଳାହାଣ୍ଡି,୧୪/୦୯
ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଚାରବାହାଲ ସ୍ଥିତ ଏସ.ଏନ.ଏସ. ବିଦ୍ୟାପୀଠ ପରିସରରେ ଏକ ଆଧ୍ୟାତ୍ମିକ ଓ ଆନନ୍ଦଉଲ୍ଲାସପୂର୍ଣ୍ଣ ପରିବେଶ ମଧ୍ୟରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଏକତ୍ରିତ ହୋଇ ପୂଜା ମଣ୍ଡପକୁ ରଙ୍ଗବେରଙ୍ଗ ର ଫୁଲ, ତୋରଣ ଓ ଆକର୍ଷଣୀୟ ଆଲୋକମାଳା ରେ ସଜାଇଥିଲେ। ପ୍ରଭୁ ଗଜାନନଙ୍କ ଦିବ୍ୟ ପ୍ରତିମା ବିଦ୍ୟାଳୟ ମଣ୍ଡପ ରେ ସ୍ଥାପିତ ହୋଇଥିଲା।
ଏହି ବର୍ଷର ପୂଜାକର୍ତ୍ତା ଭାବେ ଶିକ୍ଷକ ଶ୍ରୀଯୁକ୍ତ ସୁଦୀପ୍ତ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ନିଷ୍ଠାର ସହ ନୀତିକାନ୍ତି ସମ୍ପାଦନ କରିଥିଲେ। ପୂରୋହିତଙ୍କ ବୈଦିକ ମନ୍ତ୍ରୋଚାରଣ, ଶଙ୍ଖଘଣ୍ଟ ଧ୍ୱନିରେ ଗଗନପବନ ମୁଖରିତ ହୋଇଉଠିଥିଲା। ପୂଜାକର୍ତ୍ତା ଦମ୍ପତି ବିଶ୍ୱଶାନ୍ତି ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସୁଖ, ସମୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ।ପୂଜା ଶେଷରେ ସମସ୍ତ ବିଦ୍ୟାର୍ଥୀ, ଶିକ୍ଷକବୃନ୍ଦ ଓ ଅବିଭାବକମାନେ ପ୍ରସାଦ ସେବନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ପରିଚାଳନା କମିଟି ପକ୍ଷରୁ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରାଯିବା ସହ କାର୍ଯ୍ୟକ୍ରମଟିକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

