Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nandankanan Orangutan: ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ରକ୍ତ ନମୁନା ରିପୋର୍ଟ ପରେ ମିଳିବ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ବାଲେଶ୍ୱର ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପିସିସିଏଫ୍‌ ପ୍ରେମ କୁମାର ଝାଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି ନନ୍ଦନକାନନ ଗସ୍ତ କରି ଯାଞ୍ଚ କରିଛି। ବୁଧବାର କମିଟି ସଦସ୍ୟମାନେ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଥିବା ହସ୍ତପାଳିତ ଶିଶୁ ପ୍ରାଣୀ କେନ୍ଦ୍ରକୁ ଯାଇ ଓରାଙ୍ଗଉଟାନମାନଙ୍କ ସ୍ୱାସ୍ଥ୍ୟ ସ୍ଥିତିର ବିଭିନ୍ନ ଦିଗ ଯାଞ୍ଚ କରିଥିଲେ।

ପ୍ରାଥମିକ ଯାଞ୍ଚରେ ଓରାଙ୍ଗଉଟାନ ଶାବକମାନେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଆଜି ସନ୍ଧ୍ୟା ସୁଦ୍ଧା ବୈଷୟିକ କମିଟିର ରିପୋର୍ଟ ଆସିବା ଆଶା କରାଯାଉଛି। ମୟସୁରରୁ ଆସିଥିବା ଡାକ୍ତରୀ ଦଳ ମଧ୍ୟ ଶାବକମାନଙ୍କ ଯତ୍ନ ନେବା ବ୍ୟବସ୍ଥାକୁ ନେଇ ସୂଚନା ଦେଇଛନ୍ତି। ନନ୍ଦନକାନନରେ ଅଭିଜ୍ଞ କେୟାରଟେକର ଥିବାରୁ ଶାବକମାନଙ୍କ ଯତ୍ନ ଭଲ ଭାବେ ନିଆଯାଉଥିବା ଡାକ୍ତରୀ ଦଳ କହିଛି। ଆଗକୁ ଓରାଙ୍ଗଉଟାନ ଶାବକମାନଙ୍କ ଡିଏନଏ ପରୀକ୍ଷା ମଧ୍ୟ କରାଯିବ।

ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର ନାରାୟଣ, ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ଦେବିଦାସ, ବରିଷ୍ଠ ପ୍ରାଣୀ ଚିକିତ୍ସକ ଡା. ଶରତ କୁମାର ସାହୁ ଓ ଓୟୁଏଟିର ଆଦିତ୍ୟ ଆଚାର୍ଯ୍ୟଙ୍କ ସମେତ ମୟସୁରରୁ ଆସିଥିବା ଡାକ୍ତରୀ ଦଳ ଉପସ୍ଥିତ ଥିଲେ। ଉଦ୍ଧାର ହୋଇଥିବା ଓରାଙ୍ଗଉଟାନମାନଙ୍କୁ ନନ୍ଦନକାନନରେ ରଖିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ନେବାର ସମ୍ଭାବନା ଥିବା ନେଇ ମୟସୁରରୁ ଆସିଥିବା ଜଣେ ଡାକ୍ତର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories