Namma Clinic Doctor:PG ପଢ଼ୁଥିବା ବେଳେ ୭୦ ହଜାରରୁ ଅଧିକ ଦରମା ନେଉଥିବା ଅଭିଯୋଗ, ବିଧାୟକଙ୍କ ଭାଣିଜୀଙ୍କୁ ନୋଟିସ୍
କର୍ଣ୍ଣାଟକ: କର୍ଣ୍ଣାଟକର ବାଗଲକୋଟର ଏକ ନମ୍ମା କ୍ଲିନିକ୍ରେ ମେଡିକାଲ ଅଫିସର ଭାବେ କାମ କରୁଥିବା ଡାକ୍ତର ଅଙ୍କିତା ୟାରାଗଲଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ହୋଇଛି ଯେ, ସେ ଏକ ଘରୋଇ ମେଡିକାଲ କଲେଜରେ ସ୍ନାତକୋତ୍ତର ଚିକିତ୍ସା ପାଠ୍ୟକ୍ରମ କରୁଥିବା ସମୟରେ ପ୍ରତି ମାସରେ ୭୦ ହଜାର ଟଙ୍କାରୁ ଅଧିକ ଦରମା ନେଉଥିଲେ। ଡାକ୍ତର ଅଙ୍କିତା ବାଗଲକୋଟ ବିଧାୟକ ଉମେଶ ମେତିଙ୍କ ଭାଣିଜୀ ବୋଲି ମଧ୍ୟ ଜଣାପଡ଼ିଛି।
ଡାକ୍ତର ଅଙ୍କିତାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଓ ଅନୁମତି ବିନା ଏକାସାଙ୍ଗରେ ଦୁଇଟି ଦାୟିତ୍ୱ ତୁଲାଇବା ନେଇ ଅଭିଯୋଗ ରହିଛି। ଏହି ମାମଲାରେ ବାଗଲକୋଟ ଜିଲ୍ଲା ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ ବାଲେ ତଦନ୍ତ କରୁଛନ୍ତି। ତେବେ ତଦନ୍ତ ପାଇଁ ଡାକ୍ତର ଅଙ୍କିତା ଉପସ୍ଥିତ ହୋଇନଥିବାରୁ ଅଧିକାରୀ ତାଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି।
ନୋଟିସ୍ ଅନୁସାରେ, ସେପ୍ଟେମ୍ବର ୧୮ ତାରିଖ ସକାଳ ୧୦ଟାରେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ରୁମ୍ ନମ୍ବର ୧୧ରେ ହେବାକୁ ଥିବା ତଦନ୍ତରେ ଡାକ୍ତର ଅଙ୍କିତାଙ୍କୁ ଉପସ୍ଥିତ ହେବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ ସେ ହାଜର ନହେଲେ ତାଙ୍କ ଅନୁପସ୍ଥିତିରେ ଏକତରଫା ନିଷ୍ପତ୍ତି ନିଆଯାଇପାରେ ବୋଲି ଜିଲ୍ଲା ପଞ୍ଚାୟତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚେତାବନୀ ଦେଇଛନ୍ତି। ମାମଲାର ତଦନ୍ତ ଶେଷ ହେବା ପରେ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

