UPI MDR Row: ୨ ହଜାରରୁ ଅଧିକ UPI ପେମେଣ୍ଟ ଉପରେ MDRକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍
୨ ହଜାର ଟଙ୍କାରୁ ଅଧିକ ବ୍ୟବସାୟିକ UPI ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରାଯିବାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ବ୍ୟବସ୍ଥାକୁ ରାହୁଲ ଗାନ୍ଧୀ ‘UPI ଟ୍ୟାକ୍ସ’ ବୋଲି ଅଭିହିତ କରି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସରକାର ଆମେରିକାର ଚାପ ଆଗରେ ନଇଁଛନ୍ତି ଏବଂ ଏହାର ଲାଭ ଆମେରିକାକୁ ମିଳିବ। ତାଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୈତିକ ତର୍କ ତୀବ୍ର ହୋଇଛି।
ସରକାରୀ ନିୟମ ଅନୁସାରେ, ୨ ହଜାର ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବ। ତେବେ ଏହି ରାଶି ଗ୍ରାହକଙ୍କଠାରୁ ଆଦାୟ କରାଯିବ ନାହିଁ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟିକ ପେମେଣ୍ଟ ଏବଂ ସମସ୍ତ ବ୍ୟକ୍ତିରୁ ବ୍ୟକ୍ତି UPI କାରବାର ମାଗଣା ରହିବ। ଛୋଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଶୂନ୍ୟ-MDR ବ୍ୟବସ୍ଥା ରହିଛି।
ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ଓ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ MDR କୌଣସି ସରକାରୀ ଟ୍ୟାକ୍ସ ନୁହେଁ; ଏହା ପେମେଣ୍ଟ ବ୍ୟବସ୍ଥାରେ ଜଡ଼ିତ ବ୍ୟାଙ୍କ ଓ ପେମେଣ୍ଟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ବଣ୍ଟନ ହେବ। ସରକାରଙ୍କ ତଥ୍ୟ ଅନୁସାରେ, ପ୍ରାୟ ୯୬ ପ୍ରତିଶତ ବ୍ୟବସାୟିକ UPI କାରବାର ଏହି MDRରୁ ପ୍ରଭାବିତ ହେବ ନାହିଁ।

