ରାଜନୈତିକ ତିକ୍ତତାକୁ କମ କରିବ ଫଳ ! ପିଏମ ମୋଦୀଙ୍କୁ ଏ ବର୍ଷ ମଧ୍ୟ ଆମ୍ବ ପଠାଇବେ ମମତା


ନୂଆଦିଲ୍ଲୀ: ବାଲେଶ୍ଵରର ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଆମ୍ବ ପଠାଇବାକୁ ଭୁଲିବେ ନାହିଁ। କୁହାଯାଉଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଆମ୍ବର ଟୋକେଇ ଦିନେ କି ଦୁଇ ଦିନରେ ପହଞ୍ଚିଯିବ। ଉଲ୍ଲେଖନୀୟ ମମତା ପ୍ରତି ବର୍ଷ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଆମ୍ବ ପଠାଇ ଥାଆନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୪ କିଲିଆ ବାକ୍ସରେ ହିମସାଗର, ଫଜଲି ଏବଂ ଲକ୍ଷ୍ମଣଭୋଗ ପରି ଆମ୍ବ ଟୋକେଇକୁ ସଜା ଯିବ। ଆଉ ଏହା ଶୀଘ୍ର ୭ ଲୋକ କଲ୍ୟାଣ ମାର୍ଗ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଠାଯିବ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ମମତାଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଭାରତ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ମଧ୍ୟ ଆମ୍ବର ଟୋକେଇ ପଠାଯିବ।

ଅନ୍ୟପଟେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଗୋଟି ଗୋଟି ପ୍ରସଙ୍ଗରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି। ଓଡିଶା ଟ୍ରେନ ଦୁର୍ଘଟଣାରେ ସେ ରେଳ ବିଭାଗକୁ ଦାୟୀ କରିଛନ୍ତି। ଏଥିସହ ସେ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ସୋମବାର ତାଙ୍କ ପୁତୁରା ତଥା ଟିଏମସିର ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ କୋଲକାତା ବିମାନ ବନ୍ଦରରେ ଅଟକା ଯାଇଥିଲା।