Hyderabad Minor Assault Case: ନିଶାଦ୍ରବ୍ୟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୮ ଗିରଫ
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ବିଭିନ୍ନ ସ୍ଥାନରେ ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ସେପ୍ଟେମ୍ବର ୯ରେ ଘରୁ ବାହାରିଥିବା ନାବାଳିକା ପରଦିନ ଅଭିଯୁକ୍ତଙ୍କ କବଳରୁ ଖସି ଘରକୁ ଫେରିଥିଲେ। ପରେ ପରିବାର ସହ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏହା ଆଧାରରେ ପୁଲିସ POCSO ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରିଛି।
ପୁଲିସର ତଦନ୍ତ ଅନୁସାରେ, ନାବାଳିକା ବୋଲାରମ୍ ରେଳ ଷ୍ଟେସନ୍ ନିକଟରେ ଜଣେ ଯୁବକଙ୍କ ସହ ଭେଟିଥିଲେ। ପରେ ଅନ୍ୟ କିଛି ଯୁବକ ସେମାନଙ୍କ ସହ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ନିଶାଦ୍ରବ୍ୟ ମିଶ୍ରିତ ସିଗାରେଟ୍ ଦିଆଯାଇଥିବା ଏବଂ ପରେ ବିଭିନ୍ନ ସ୍ଥାନକୁ ନେଇ ଯୌନ ନିର୍ଯାତନା କରାଯାଇଥିବା ପୁଲିସ କହିଛି। ବୋଲାରମ୍ର ଏକ ଘର, ଧୁଲାପଲ୍ଲୀ ଅଞ୍ଚଳର ଏକ ହୋଟେଲ ଏବଂ ମେଡଚାଲ ନିକଟରେ ଥିବା ଏକ ଖାଲି ଟ୍ରେନ୍ ବଗି ଭଳି ବିଭିନ୍ନ ସ୍ଥାନରେ ଘଟଣା ଘଟିଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସର ସୂଚନା। କିଛି ଅଭିଯୁକ୍ତଙ୍କ ସହ ନାବାଳିକାଙ୍କ ପରିଚୟ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ହୋଇଥିବା ମଧ୍ୟ ପୁଲିସ ଯାଞ୍ଚ କରୁଛି।
ଏହି ମାମଲାରେ ଧୁଲାପଲ୍ଲୀ ହୋଟେଲର ମାଲିକ ଓ ପରିଚାଳକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ନାବାଳିକାଙ୍କ ବୟସ ଯାଞ୍ଚ ନକରି ହୋଟେଲରେ ପ୍ରବେଶ ଓ କୋଠରୀ ଦେବା ଅଭିଯୋଗରେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି। ପୁଲିସ ଏବେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଭୂମିକା ଯାଞ୍ଚ କରିବା ସହ ନିଶାଦ୍ରବ୍ୟ ଯୋଗାଣ ସମ୍ପର୍କିତ ଅଭିଯୋଗର ମଧ୍ୟ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ନାବାଳିକାଙ୍କ ସହ ଯୌନ ନିର୍ଯାତନା ହୋଇଥିବା ଅଭିଯୋଗକୁ ନେଇ ତଦନ୍ତ ଚାଲିଛି। ଗିରଫ ୮ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

