Mahakalapada Crime: ସ୍ୱାମୀଙ୍କୁ କିଡନାପ ଏବଂ ମା-ଝିଅଙ୍କୁ ହତ୍ୟା ଧମକ ନେଇ ଥାନାରେ ଏତଲା
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳରେ ସ୍ୱାମୀଙ୍କୁ ନେଇଯାଇଥିବା ଏବଂ ନିଜ ସହ ଝିଅକୁ ହତ୍ୟା ଧମକ ଦିଆଯାଉଥିବା ନେଇ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ବରକନ୍ଧା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିକନ୍ଧା ଗ୍ରାମର ଦୀପକ ପ୍ରଧାନଙ୍କ ସ୍ତ୍ରୀ ଅନୁପମା ରାଉତ ଏହି ଅଭିଯୋଗ ଆଣିଛନ୍ତି। ଅନୁପମାଙ୍କ ଅଭିଯୋଗ ଅନୁସାରେ, ସେହି ଗ୍ରାମର ଜଣେ ବିଧବା ମହିଳା ଅମାନି ସାମଲ ତାଙ୍କ ସ୍ୱାମୀଙ୍କୁ ଚକ୍ରାନ୍ତ କରି ଓଡ଼ିଶା ବାହାରକୁ ନେଇଯାଇଛନ୍ତି ଏବଂ ଏବେ ଫୋନ୍ ଯୋଗେ ମା-ଝିଅଙ୍କୁ ଧମକ ଦେଉଛନ୍ତି।
ଅନୁପମାଙ୍କ କହିବା ଅନୁସାରେ, ଦୀପକଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା ଏବଂ ବିବାହର ଗୋଟିଏ ବର୍ଷ ପରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ପରେ ଅମାନି ଦୀପକଙ୍କୁ ନେଇଯାଇଥିବା ନେଇ ସେ ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ୨୦୨୩ ସେପ୍ଟେମ୍ବର ୧୮ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଅନୁପମା କହିଛନ୍ତି। ଚଳିତ ବର୍ଷ ଝିଅ ରାଇଟ୍ ଟୁ ଏଜୁକେସନ୍ ଅଧୀନରେ କେନ୍ଦ୍ରାପଡ଼ାର ଏକ ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଯୋଗ୍ୟ ହେବା ପରେ ଦୀପକ ଝିଅର ପଢ଼ା ଖର୍ଚ୍ଚ ପାଇଁ ଟଙ୍କା ପଠାଇଥିଲେ। ଏହାକୁ ନେଇ ଅମାନି ଦୀପକଙ୍କୁ ପରିବାର ସହ ସମ୍ପର୍କ ନ ରଖିବାକୁ ଚାପ ପକାଉଥିବା ଏବଂ ଫୋନ୍ରେ ଗାଳିଗୁଲଜ ସହ ଧମକ ଦେଉଥିବା ଅନୁପମା ଅଭିଯୋଗରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ, ଅମାନି ସାମଲ ମଧ୍ୟ ଦୀପକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଫଳରେ ଉଭୟ ପକ୍ଷର ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଘଟଣାର ସତ୍ୟତା ଯାଞ୍ଚ କରାଯିବା ସହ ତଦନ୍ତ ପରେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାକାଳପଡ଼ା ଥାନାଧିକାରିଣୀ କହିଥିବା ସୂଚନା ମିଳିଛି।

