Nashik Stray Dog Protest: ଅଧିକାରୀଙ୍କ ଟେବୁଲ ଉପରେ ନୋଟ୍ ମାଳ ପିନ୍ଧାଇ ଛାଡିଦେଲେ ବୁଲା କୁକୁର! ପ୍ରଶାସନ ନ ଶୁଣିବାରୁ ଲୋକଙ୍କ ନିଆରା ପ୍ରତିବାଦ
ମହାରାଷ୍ଟ୍ର: ବୁଲା କୁକୁରଙ୍କ ସମସ୍ୟାକୁ ନେଇ ମହାରାଷ୍ଟ୍ରର ନାସିକ ଜିଲ୍ଲା ନିଫାଡରେ ଏକ ନିଆରା ଢଙ୍ଗରେ ପ୍ରତିବାଦ କରାଯାଇଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ଯୁବ ସେନା ନେତା ଓ କିଛି ସ୍ଥାନୀୟ ଲୋକ ନଗର ପଞ୍ଚାୟତ କାର୍ଯ୍ୟାଳୟକୁ ବୁଲା କୁକୁର ନେଇ ପହଞ୍ଚିଥିଲେ। ପ୍ରତିବାଦ ସମୟରେ କିଛି କୁକୁରଙ୍କୁ ବସ୍ତାରେ ଆଣି ମୁଖ୍ୟ ଅଧିକାରୀ ଧୀରଜ ଭାମରେଙ୍କ କାର୍ଯ୍ୟାଳୟ ଭିତରେ ଛାଡ଼ି ଦିଆଯାଇଥିଲା। ଏହା ସହ ଅଧିକାରୀଙ୍କୁ ନୋଟ୍ର ମାଳ ପିନ୍ଧାଇ ପ୍ରଶାସନର କାର୍ଯ୍ୟଶୈଳୀକୁ ପ୍ରତୀକାତ୍ମକ ଭାବେ ବିରୋଧ କରାଯାଇଥିଲା।
ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁସାରେ, ନିଫାଡ ଓ ଏହାର ଆଖପାଖ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବା ସହ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ବଢ଼ିଛି। ଛୋଟ ପିଲା ଓ ସାଧାରଣ ଲୋକଙ୍କୁ କୁକୁର କାମୁଡ଼ିବା ଭଳି ଘଟଣା ଘଟୁଥିବା ଅଭିଯୋଗ ମଧ୍ୟ ରହିଛି। ଗଣେଶୋତ୍ସବ ସମେତ ଆଗାମୀ ପର୍ବପର୍ବାଣି ସମୟରେ ସମସ୍ୟା ଆହୁରି ବଢ଼ିପାରେ ବୋଲି ପ୍ରତିବାଦକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତୁରନ୍ତ ପଦକ୍ଷେପ ନେଇ ବୁଲା କୁକୁର ସମସ୍ୟାର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।
ଯୁବ ସେନା ଜିଲ୍ଲା ମୁଖ୍ୟ ବିକ୍ରମ ରାନ୍ଧଭେଙ୍କ ନେତୃତ୍ୱରେ ଏହି ପ୍ରତିବାଦ ହୋଇଥିଲା। ରାନ୍ଧଭେଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନ ବୁଲା କୁକୁର ସମସ୍ୟାର ସମାଧାନ ଅପେକ୍ଷା ଟେଣ୍ଡର ପ୍ରକ୍ରିୟା ଉପରେ ଅଧିକ ଧ୍ୟାନ ଦେଉଛି। ଏହି ସମସ୍ୟାର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନନେଲେ ଆଗକୁ ପୁଣି ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

