Riamal Murder: ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ପ୍ରେମିକାଙ୍କ ବାପା ମୁଖ୍ୟ ଅଭିଯୁକ୍ତ
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳର ଲକ୍ଷ୍ମୀ ଛକରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି। ମୃତକ ହେଲେ ବାବରାକୋଟ ଗାଁର ୨୯ ବର୍ଷୀୟ ସିଲୁ ରାୟ। ସୂଚନା ଅନୁସାରେ, ସିଲୁଙ୍କର ଜଣେ ଯୁବତୀଙ୍କ ସହ ପ୍ରାୟ ୪ରୁ ୫ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ସେ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବାରୁ ଉଭୟ ପରିବାର ମଧ୍ୟରେ ପୂର୍ବରୁ ଏକାଧିକ ଥର ବିବାଦ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଅଭିଯୋଗ ଅନୁସାରେ, ଘଟଣା ରାତିରେ ସିଲୁ ପ୍ରେମିକାଙ୍କ ଘରକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଦେଖିବା ପରେ ଆକ୍ରମଣ କରିଥିବା ଏବଂ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଯୁବତୀ, ତାଙ୍କ ବାପା ଓ ମାଆଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି।
ସିଲୁଙ୍କ ବାପାଙ୍କ କହିବା ଅନୁସାରେ, ପୁଅ ବୁଧବାର ସନ୍ଧ୍ୟାରେ ଘରୁ ବାହାରକୁ ଯାଇଥିଲେ। ପରେ ରାତି ପ୍ରାୟ ୧୧ଟା ସମୟରେ ତାଙ୍କ ବଡ଼ ପୁଅଙ୍କ ନିକଟକୁ ଭାଇଙ୍କୁ ପୋଡ଼ି ମାରିଦେଉଥିବା ନେଇ ମେସେଜ୍ ଆସିଥିଲା। ଅନ୍ୟପଟେ ଅତିରିକ୍ତ ଏସ୍ପି ଧୀରଜ ଚୋପଦାର କହିଛନ୍ତି ଯେ, ପ୍ରାଥମିକ ଭାବେ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଝିଅର ବାପା ନରୋତ୍ତମ ବେହେରାଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଥିବା ବେଳେ ମାମଲାର ଅନ୍ୟାନ୍ୟ ପାର୍ଶ୍ୱକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

