Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sridevi Property Dispute: ୨.୭ ଏକର ଜମିକୁ ନେଇ ବୋନି, ଜାହ୍ନବୀ ଓ ଖୁସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ମୁମ୍ବାଇ: ଦିବଂଗତ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରିବାରର ଚେନ୍ନାଇ ସ୍ଥିତ ୨.୭ ଏକର ଜମିକୁ ନେଇ ପୁଣି ଆଇନଗତ ବିବାଦ ଦେଖାଦେଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ଶ୍ରୀଦେବୀଙ୍କ ସ୍ୱାମୀ ତଥା ନିର୍ମାତା ବୋନି କପୁର ଏବଂ ତାଙ୍କ ଝିଅ ଜାହ୍ନବୀ କପୁର ଓ ଖୁସି କପୁରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏମ୍.ସି. ସିବକାମୀ ଓ ତାଙ୍କ ଭାଇ ଏମ୍.ସି. ନଟରାଜନ ଏହି ଜମିରେ ନିଜମାନଙ୍କ ଅଂଶ ଦାବି କରି ମାମଲା କରିଛନ୍ତି।

ବିବାଦୀୟ ଜମିଟି ଚେନ୍ନାଇର ଶୋଲିଙ୍ଗାନାଲୁର ଅଞ୍ଚଳର ସର୍ଭେ ନମ୍ବର ୧/୧ବିରେ ରହିଛି। ଆବେଦନକାରୀମାନେ ନିଜକୁ ଦିବଂଗତ ଏମ୍.ସି. ଚନ୍ଦ୍ରଶେଖରନଙ୍କ ଆଇନଗତ ଉତ୍ତରାଧିକାରୀ ଦର୍ଶାଇ ଜମିରେ ଏକ-ପଞ୍ଚମାଂଶ ଅଂଶ ଦାବି କରିଛନ୍ତି। ସେମାନେ ୧୯୮୮ରେ ଶ୍ରୀଦେବୀ, ତାଙ୍କ ମାଆ ରାଜେଶ୍ୱରୀ ଓ ଭଉଣୀ ଶ୍ରୀଲତାଙ୍କ ନାମରେ ହୋଇଥିବା ଜମି କାରବାରକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଏପ୍ରିଲ ୨୦, ୨୦୨୬ରେ ମାଦ୍ରାସ ହାଇକୋର୍ଟ ଏହି ଦାବିକୁ ସମୟସୀମା ଦୃଷ୍ଟିରୁ ଖାରଜ କରିଥିଲେ।

ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ ବିଚାରପତି କେ.ଭି. ବିଶ୍ୱନାଥନ ଓ ଅରୁଣ ପିଲ୍ଲାଇଙ୍କ ଖଣ୍ଡପୀଠ ମାମଲାରେ ନୋଟିସ୍ ଜାରି କରିଛନ୍ତି। ଏହାସହ ଜମି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଯଥାସ୍ଥିତି ବଜାୟ ରଖିବାକୁ ଉଭୟ ପକ୍ଷଙ୍କୁ କହିଛନ୍ତି। ବିବାଦର ସମାଧାନ ପାଇଁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ମାଧ୍ୟମରେ ମଧ୍ୟସ୍ଥତାର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories