Delhi Teen Murder: ଦିଲ୍ଲୀରେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ୪ ଅଭିଯୁକ୍ତ ଗିରଫ
ନୁଆଦିଲ୍ଲୀ: ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୧୩ ତାରିଖ ସକାଳେ କୁଶାକ ରୋଡ୍ ନିକଟସ୍ଥ ଚାଷଜମିରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ମୃତଦେହ ଦୀର୍ଘ ସମୟ ଧରି ପଡ଼ିରହିଥିବାରୁ ଏହାର ଅବସ୍ଥା ଖରାପ ହୋଇଯାଇଥିଲା। ଘଟଣାରେ ୪ ଜଣଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି, ଯେଉଁଥିରେ ୧୬ରୁ ୧୭ ବର୍ଷ ବୟସର ୩ ଜଣ ନାବାଳକ ରହିଛନ୍ତି। ଚତୁର୍ଥ ଅଭିଯୁକ୍ତ ଭାବେ ଶିବମ ଓରଫ ସୁଦାମାଙ୍କ ନାମ ସାମ୍ନାକୁ ଆସିଛି।
ପୁଲିସର ସୂଚନା ଅନୁସାରେ, ପୀଡ଼ିତା ଓ ଅଭିଯୁକ୍ତମାନେ ପୂର୍ବରୁ ପରିଚିତ ଥିଲେ। ସେମାନେ ଏକ ଟେମ୍ପୋ ଭିତରେ ଏକାଠି ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ଏହାପରେ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟିଥିବା ପୁଲିସ କହିଛି। ଘଟଣାର ତଦନ୍ତ ସମୟରେ ପୁଲିସ ୫୦ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ସନ୍ଦେହଜନକ ଭାବେ ଯାତାୟାତ କରୁଥିବା ଏକ ଟେମ୍ପୋକୁ ଚିହ୍ନଟ କରି ପୁଲିସ ଏହାର ଚାଳକଙ୍କୁ ଧରି ପଚରାଉଚରା କରିଥିଲା। ତାଙ୍କୁ ପଚରାଉଚରା ପରେ ଅନ୍ୟ ୩ ଜଣଙ୍କ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା।
ଏହି ମାମଲାରେ ପୁଲିସ ୩ ନାବାଳକଙ୍କ ସହ ଶିବମ ଓରଫ ସୁଦାମାଙ୍କୁ ଧରିଛି। ତଦନ୍ତକାରୀମାନେ ଘଟଣାରେ ବ୍ୟବହୃତ ହୋଇଥିବା ଅଭିଯୋଗରେ ଦୁଇଟି ଛୁରି ଓ ରକ୍ତ ଦାଗ ଥିବା ପୋଷାକ ଜବତ କରିଛନ୍ତି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ପୁଲିସ ତାହାର ମଧ୍ୟ ତଦନ୍ତ କରୁଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ସେ ନିଖୋଜ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇନଥିଲା। ମାମଲାରେ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରା ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ମାମଲା ରୁଜୁ କରାଯାଇଛି।

