Amritsar ASI Murder: ଡ୍ୟୁଟିରେ ଥିବା ଏଏସଆଇଙ୍କୁ ଗୁଳି କରି ହତ୍ୟା, ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା
ପଞ୍ଜାବ: ପଞ୍ଜାବର ଅମୃତସରରେ ଡ୍ୟୁଟିରେ ଥିବା ବେଳେ ପୁଲିସ ଏଏସଆଇ ହରଜିତ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗେଟ୍ ହାକିମା ଥାନା ଅଧୀନ ଭଗତାଁୱାଲା ଦାନା ମଣ୍ଡି ନିକଟରେ ଶୁକ୍ରବାର ଭୋର ପ୍ରାୟ ୨ଟା ୩୦ରୁ ୩ଟା ମଧ୍ୟରେ ଅଜ୍ଞାତ ଆକ୍ରମଣକାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ। ପ୍ରାୟ ୫୦ ବର୍ଷୀୟ ହରଜିତଙ୍କ ଶରୀରରେ ୩ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅମୃତସରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ପରେ ପଞ୍ଜାବ ପୁଲିସ ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ଅଭିଯୁକ୍ତଙ୍କ ପରିଚୟ ମଧ୍ୟ ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରୁ ମିଳିଥିବା ସୂଚନା, ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି। ପଞ୍ଜାବ ଡିଜିପି ଗୌରବ ଯାଦବ ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଏବଂ ହରଜିତ ସିଂହଙ୍କୁ ପୂର୍ଣ୍ଣ ପୁଲିସ ସମ୍ମାନ ସହ ବିଦାୟ ଦିଆଯିବ ବୋଲି କହିଛନ୍ତି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ହରଜିତ ସିଂହଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ୧ କୋଟି ଟଙ୍କାର ବୀମା ରାଶି ଦିଆଯିବ। ଅର୍ଥାତ୍ ପରିବାରକୁ ମୋଟ ୨ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିବ। ଏପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

