Asian Games 2026: ଜାପାନକୁ ୮ ୱିକେଟ୍ରେ ହରାଇ ସେମିଫାଇନାଲରେ ଭାରତ! ଗ୍ରାଉଣ୍ଡରେ ଶ୍ରୀଚରଣୀ-ଶେଫାଳୀଙ୍କ ଦମଦାର ପ୍ରଦର୍ଶନ
ନୁଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ ମହିଳା କ୍ରିକେଟ୍ର କ୍ୱାର୍ଟରଫାଇନାଲରେ ଜାପାନକୁ ୮ ୱିକେଟ୍ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଜାପାନୀ ଦଳ ଭାରତୀୟ ବୋଲରଙ୍କ ସାମ୍ନା କରି ମାତ୍ର ୫୭ ରନ୍ରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଶ୍ରୀଚରଣୀ ୪ଟି ୱିକେଟ୍ ନେଇଥିବା ବେଳେ ଶେଫାଳୀ ବର୍ମା ୨ଟି ୱିକେଟ୍ ହାସଲ କରିଥିଲେ।
୫୮ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୫ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା। ଶେଫାଳୀ ବର୍ମା ମାତ୍ର ୧୫ଟି ବଲ୍ରେ ଅପରାଜିତ ୪୦ ରନ୍ର ଧୂଆଁଧାର ପାଳି ଖେଳି ଭାରତର ବିଜୟକୁ ସହଜ କରିଥିଲେ। ସେ ବୋଲିଂରେ ମଧ୍ୟ ୨ଟି ୱିକେଟ୍ ନେଇ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ।
ଏହି ବିଜୟ ସହ ଭାରତ ଏବେ ଏସିଆନ୍ ଗେମ୍ସର ମହିଳା କ୍ରିକେଟ୍ ସେମିଫାଇନାଲରେ ବାଂଲାଦେଶକୁ ଭେଟିବ। ଆସନ୍ତା ୨୦ ସେପ୍ଟେମ୍ବରରେ ଉଭୟ ଦଳ ମଧ୍ୟରେ ମୁକାବିଲା ହେବ।

