Riamal Murder Case: ପ୍ରେମିକାଙ୍କ ଘରେ ଯୁବକଙ୍କୁ ପିଟି ହତ୍ୟା ଅଭିଯୋଗ, ଦେହରେ ନିଆଁ ଲଗାଇଥିବା ଅଭିଯୋଗ; ୭ ଜଣଙ୍କ ନାଁରେ ମାମଲା
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ସଦର ଲକ୍ଷ୍ମୀଛକ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବକ ହେଉଛନ୍ତି ସଦର ପଞ୍ଚାୟତ ବାବରାକୋଟ ଗାଁର ୨୮ ବର୍ଷୀୟ ସିଲୁ ରାୟ। ଅଭିଯୋଗ ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ସିଲୁ ତାଙ୍କ ପ୍ରେମିକାଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ। ଏହାପରେ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଏବଂ ପରେ ତାଙ୍କ ମୃତଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ସିଲୁ ଓ ରିଆମାଳ ଲକ୍ଷ୍ମୀଛକ ସାହିର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଉଭୟ ଭିନ୍ନ ଜାତିର ହୋଇଥିବାରୁ ବିବାହକୁ ଯୁବତୀଙ୍କ ପରିବାର ସମ୍ମତି ଦେଇନଥିବା ଜଣାପଡ଼ିଛି। ପରେ ଉଭୟ କିଛି ସମୟ ବାହାରେ ଏକାଠି ରହିଥିଲେ। ତେବେ ସମ୍ପର୍କରେ ବିବାଦ ହେବା ପରେ ଯୁବତୀ ନିଜ ବାପଘରକୁ ଫେରିଥିଲେ। ସିଲୁ ଜଣେ ଇଞ୍ଜିନିୟର ଥିବାବେଳେ ଗତ ୪ ମାସ ଧରି ମୁମ୍ବାଇର ଏକ କମ୍ପାନିରେ କାମ କରୁଥିଲେ ଏବଂ ଗତ ୧୫ ତାରିଖରେ ଗାଁକୁ ଫେରିଥିଲେ।
ଘଟଣାରେ ସିଲୁଙ୍କ ବଡ଼ଭାଇଙ୍କ ଅଭିଯୋଗ ଆଧାରରେ ମୋଟ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ପୁଲିସ ଯୁବତୀ ଓ ତାଙ୍କ ବାପା-ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ବେଳେ ବୈଜ୍ଞାନିକ ଦଳ ମଧ୍ୟ ତଦନ୍ତ କରିଛି। ଦରପୋଡ଼ା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟା ପରେ ମୃତଦେହରେ ନିଆଁ ଲଗାଯାଇଥିଲା ନା ନିଆଁ ଲଗାଇବା ସମୟରେ ମୃତ୍ୟୁ ଘଟିଥିଲା, ତାହା ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧୀରଜ ଚାପଦାର ସୂଚନା ଦେଇଛନ୍ତି।

