Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Lok Seva Bhawan: ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ! ଲୋକସେବା ଭବନ ଓ ଏହାର ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ କରିବାକୁ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ଓ ଏହାର ପରିସରକୁ ରାଜ୍ୟ ସରକାର ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁଜାତ ଦ୍ରବ୍ୟ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ ରହିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ କର୍ମଚାରୀ ଓ ପରିଦର୍ଶକଙ୍କୁ ତମାଖୁର କ୍ଷତିକାରକ ପ୍ରଭାବରୁ ସୁରକ୍ଷା ଦେବା ସହ ଏକ ସ୍ୱଚ୍ଛ ଓ ସୁସ୍ଥ କାର୍ଯ୍ୟସ୍ଥଳ ସୃଷ୍ଟି କରିବା।

ବିଭାଗର ବିଜ୍ଞପ୍ତି ଅନୁସାରେ, ତମାଖୁ ସେବନ କ୍ୟାନସର, ହୃଦ୍‌ରୋଗ ଓ ଶ୍ୱାସଜନିତ ରୋଗ ସମେତ ବିଭିନ୍ନ ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ। ଭାରତରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ତମାଖୁଜନିତ ମୃତ୍ୟୁ ହେଉଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏହି ପଦକ୍ଷେପ ‘ସ୍ୱଚ୍ଛ ଭାରତ’, ‘ସୁସ୍ଥ ଭାରତ’ ଓ ‘ନିଶାମୁକ୍ତ ଭାରତ’ ଅଭିଯାନର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ। ଯୁବପିଢ଼ି ମଧ୍ୟରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଏବଂ ତମାଖୁ ସେବନରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।

ଲୋକସେବା ଭବନରେ ପ୍ରତିଦିନ ବହୁ ସଂଖ୍ୟକ କର୍ମଚାରୀ ଓ ପରିଦର୍ଶକଙ୍କ ଯାତାୟାତ ହେଉଥିବାରୁ ପରିସରର ସ୍ୱଚ୍ଛତା ଉପରେ ମଧ୍ୟ ଏହି ନିଷ୍ପତ୍ତିର ପ୍ରଭାବ ପଡ଼ିବ। ବିଜ୍ଞପ୍ତି ଅନୁସାରେ, ନିୟମ ଉଲ୍ଲଂଘନ କଲେ ପ୍ରଚଳିତ ଆଇନ ଅନୁଯାୟୀ ତାହାକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ଏହାଦ୍ୱାରା ରାଜ୍ୟର ପ୍ରମୁଖ ପ୍ରଶାସନିକ କାର୍ଯ୍ୟାଳୟ ପରିସରକୁ ଏକ ସ୍ୱଚ୍ଛ ଓ ତମାଖୁମୁକ୍ତ ସାର୍ବଜନୀନ ସ୍ଥାନ ଭାବେ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories