Ghaziabad School Van Accident: ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସିଲା ସ୍କୁଲ୍ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ୪ ଛାତ୍ରଛାତ୍ରୀ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିଆବାଦରେ ଗୁରୁବାର ସକାଳେ ୪ ଜଣ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତାପ ବିହାରସ୍ଥିତ ଡିଏଭି ସ୍କୁଲ୍କୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପ୍ରତାପ ନଗର ଅଞ୍ଚଳରେ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ଭ୍ୟାନ୍ଟି ରାସ୍ତାରୁ ଖସିଯାଇଥିଲା। ଭ୍ୟାନ୍ଟି ଲଖନ ନାମକ ଚାଳକ ଚଳାଉଥିଲେ। ସକାଳ ପ୍ରାୟ ୭ଟା ୩୦ରେ ଘଟିଥିବା ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।
ଭ୍ୟାନ୍ରେ ଥିବା ୪ ଜଣ ଛାତ୍ରଛାତ୍ରୀଙ୍କ ବୟସ ପ୍ରାୟ ୧୩ରୁ ୧୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ କାହାରି ଆଘାତ ଲାଗିନଥିବା ବେଳେ ସମସ୍ତେ ସୁରକ୍ଷିତ ଥିଲେ। ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସ୍କୁଲ୍କୁ ନିଆଯାଇଥିଲା ଏବଂ ଅଭିଭାବକଙ୍କୁ ଖବର ଦିଆଯାଇ ଘଟଣାସ୍ଥଳକୁ ଡକାଯାଇଥିଲା।
ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍ଟି ଡିଏଭି ସ୍କୁଲ୍ର ଅଧିକୃତ ଯାନ ନଥିଲା। ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମିଳିତ ଭାବେ ଏହି ଘରୋଇ ଭ୍ୟାନ୍ର ବ୍ୟବସ୍ଥା କରିଥିଲେ ଏବଂ ଏହା ମାଧ୍ୟମରେ ପିଲାମାନେ ସ୍କୁଲ୍ ଯିବାଆସିବା କରୁଥିଲେ। ଦୁର୍ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।

