Bhubaneswar Officer Arrest: ମହିଳାଙ୍କ ଘରେ ରାତି ଅଧରେ ପଶିବା ଅଭିଯୋଗ, ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରେ ରାତି ଅଧରେ ପଶି ହଙ୍ଗାମା କରିବା ଓ ଅସଦାଚରଣ କରିବା ଅଭିଯୋଗରେ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଅଡ଼ୁଆରେ ପଡ଼ିଛନ୍ତି। ସଂପୃକ୍ତ ମହିଳା ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ, ଅଧରାତିରେ ଅଧିକାରୀ ଜଣକ ଜୋରଜବରଦସ୍ତି ମହିଳାଙ୍କ ଘରେ ପ୍ରବେଶ କରିଥିଲେ। ସେଠାରେ ହଙ୍ଗାମା କରିବା ସହ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳା ଖାରବେଳନଗର ଥାନାରେ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇବା ପରେ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅରୁଣ କୁମାର ବିଶ୍ୱାଳଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ମଧ୍ୟ ପଚରାଉଚରା କରିଛି। ଘଟଣାର ପ୍ରକୃତ କାରଣ ଓ ଅଭିଯୋଗର ସତ୍ୟତା ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

