Gold Ring Scheme: ତାମିଲନାଡୁରେ ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମ ସୁନା ମୁଦି, ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ ଯୋଜନା
ତାମିଲନାଡୁ: ତାମିଲନାଡୁରେ ସରକାରୀ ଡାକ୍ତରଖାନାରେ ଜନ୍ମ ନେଉଥିବା ନବଜାତ ଶିଶୁଙ୍କ ପାଇଁ ଆରମ୍ଭ ହେବ ନୂଆ ସୁନା ମୁଦି ଯୋଜନା। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସେପ୍ଟେମ୍ବର ୨୮ରେ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’ର ଶୁଭାରମ୍ଭ କରିବେ। ଏହି ଯୋଜନାରେ ସରକାରୀ ଡାକ୍ତରଖାନାରେ ଜନ୍ମ ନେଉଥିବା ଶିଶୁଙ୍କୁ ୧ ଗ୍ରାମ ଓଜନର ସୁନା ମୁଦି ପ୍ରଦାନ କରାଯିବ।
ପ୍ରଥମ ପର୍ଯ୍ୟାୟ ପାଇଁ ସରକାର ୧ ଲକ୍ଷ ୨୮ ହଜାର ସୁନା ମୁଦି ପ୍ରସ୍ତୁତ କରିସାରିଛି। ପ୍ରତ୍ୟେକ ମୁଦିରେ ସ୍ୱତନ୍ତ୍ର କ୍ରମିକ ନମ୍ବର ରହିବ ଏବଂ ଏହାକୁ ନଷ୍ଟ କରିହେବ ନାହିଁ ଏଭଳି ସୁରକ୍ଷିତ ପ୍ୟାକେଜିଂରେ ଦିଆଯିବ। ଜୁନ୍ ୨୨, ୨୦୨୬ରୁ ସରକାରୀ ଡାକ୍ତରଖାନାରେ ଜନ୍ମ ନେଇଥିବା ଶିଶୁମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବେ।
ଏହି ଯୋଜନାର ଲାଭ ପାଇଁ ନବଜାତ ଶିଶୁଙ୍କ ମା’ ତାମିଲନାଡୁର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ଗର୍ଭାବସ୍ଥା ଓ ଶିଶୁ ନିରୀକ୍ଷଣ ବ୍ୟବସ୍ଥା PICMEରେ ପଞ୍ଜୀକରଣ ସହ RCH ପରିଚୟ ନମ୍ବର ମଧ୍ୟ ଆବଶ୍ୟକ ରହିଛି। ପ୍ରଥମ ପର୍ଯ୍ୟାୟରେ ଜୁନ୍ ୨୨ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଜନ୍ମିତ ଶିଶୁଙ୍କୁ ୧୦୭ଟି କେନ୍ଦ୍ର ମାଧ୍ୟମରେ ମୁଦି ବଣ୍ଟନ କରାଯିବ। ସେପ୍ଟେମ୍ବର ୨୮ରୁ ସରକାରୀ ଡାକ୍ତରଖାନାରେ ଜନ୍ମ ନେଉଥିବା ଶିଶୁଙ୍କୁ ଡାକ୍ତରଖାନାରୁ ଘରକୁ ଫେରିବା ପୂର୍ବରୁ ମୁଦି ଦିଆଯିବ।

