Scrub Typhus: ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ୍ ମାମଲା, ୫୬୦୬ ନମୁନାରୁ ୮୭୧ ପଜିଟିଭ୍
ସୁନ୍ଦରଗଡ଼: ବର୍ଷା ଋତୁରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତା ବଢ଼ିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି ରୋଗରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହେଉଥିବା ବେଳେ ଏବେ ସୁଦ୍ଧା ୫ ହଜାର ୬୦୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।
ତେବେ ସ୍କ୍ରବ୍ ଟାଇଫସ୍ରେ ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରୋଗୀ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଉପରେ ନଜର ରଖାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଗାଁ ଗାଁରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରୁଛନ୍ତି।
ଜଙ୍ଗଲ କିମ୍ବା ବିଲକୁ ଯିବା ସମୟରେ ପୂରା ଶରୀର ଢାଙ୍କିଥିବା ପୋଷାକ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟକର୍ମୀମାନେ ପରାମର୍ଶ ଦେଉଛନ୍ତି। ଜ୍ୱର କିମ୍ବା ଅନ୍ୟ ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାକୁ ଯାଇ ପରୀକ୍ଷା କରାଇବାକୁ କୁହାଯାଇଛି। ଏଥିସହ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

