Ajit Agarkar: BCCI ଚୟନ କମିଟି ଅଧ୍ୟକ୍ଷ ପଦ ଛାଡ଼ିବେ ଅଜିତ ଅଗରକର, ବୋର୍ଡକୁ ଦେଲେ ସୂଚନା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ରେ ବଡ଼ ଖବର। BCCIର ସିନିୟର ସିଲେକ୍ସନ କମିଟିର ଅଧ୍ୟକ୍ଷ ପଦରୁ ଅଜିତ ଅଗରକର ଓହରିବାକୁ ଯାଉଥିବା ଜଣାପଡ଼ିଛି। ପୂର୍ବତନ ଭାରତୀୟ ଅଲରାଉଣ୍ଡର ଅଗରକର ଏହି ଦାୟିତ୍ୱ ଆଗକୁ ଜାରି ରଖିବାକୁ ଇଚ୍ଛୁକ ନଥିବା ନେଇ ବୋର୍ଡକୁ ଜଣାଇଥିବା ସୂଚନା ମିଳିଛି। ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ତାରିଖରେ ଶେଷ ହେବାକୁ ଥିବାରୁ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି।
ଶୁକ୍ରବାର ଅନୁଷ୍ଠିତ BCCIର Annual General Meeting (AGM)ରେ ସଦସ୍ୟ ୟୁନିଟ୍ଗୁଡ଼ିକ ଚୟନ କମିଟି ଅଧ୍ୟକ୍ଷ ଭାବେ ଅଗରକରଙ୍କ ଭବିଷ୍ୟତ ନେଇ ନିଷ୍ପତ୍ତି ନେବାର ଅଧିକାର ବୋର୍ଡର ଅଫିସ୍ ବିୟରର୍ସଙ୍କୁ ଦେଇଥିବା ଜଣାପଡ଼ିଛି। ଏହା ପରେ ଅଗରକର ନିଜେ ଏହି ପଦରେ ଆଉ ରହିବାକୁ ଚାହୁଁନଥିବା ନେଇ ବୋର୍ଡକୁ ଜଣାଇଥିବା ସୂଚନା ସାମ୍ନାକୁ ଆସିଛି।
ଅଜିତ ଅଗରକର ଭାରତୀୟ କ୍ରିକେଟ୍ ଦଳର ଚୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକାରେ ରହିଆସିଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ କିଛି ସମୟ ବାକି ଥିବାବେଳେ ପଦ ଛାଡ଼ିବା ନେଇ ଖବର ଆସିବା ପରେ BCCIର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି। ଏବେ ଚୟନ କମିଟିର ନେତୃତ୍ୱ କିଏ ନେବେ, ସେନେଇ ବୋର୍ଡ ପକ୍ଷରୁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

