Pooja Pal Bank Fraud: ବିଧାୟକଙ୍କ ବ୍ୟାଙ୍କ ଖାତାରୁ ୧.୫୫ ଲକ୍ଷ ଟଙ୍କା ଗାଏବ, PhonePe- UPIରେ ହୋଇଛି ଅନଧିକୃତ ଟ୍ରାଞ୍ଜାକ୍ସନ୍
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲାର ଚାୟଲ ବିଧାୟକ ପୂଜା ପାଲଙ୍କ ବ୍ୟାଙ୍କ ଖାତାରୁ ପ୍ରାୟ ୧ ଲକ୍ଷ ୫୫ ହଜାର ଟଙ୍କା ଅନଧିକୃତ ଭାବେ ଉଠାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଗଷ୍ଟ ୨୨ରୁ ସେପ୍ଟେମ୍ବର ୧୩ ମଧ୍ୟରେ ତାଙ୍କ ଖାତାରୁ PhonePe ଓ UPI ମାଧ୍ୟମରେ ଏକାଧିକ ଥର ଟଙ୍କା କଟିଥିବା ଜଣାପଡ଼ିଛି। ସେପ୍ଟେମ୍ବର ୧୪ରେ ଘଟଣା ସମ୍ପର୍କରେ ଜାଣିବା ପରେ ପୂଜା ପାଲ ଧୂମନଗଞ୍ଜ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।
ଅଭିଯୋଗରେ ପୂଜା ପାଲ ତାଙ୍କ iPhone ହ୍ୟାକ୍ ହୋଇଥିବା ଏବଂ ବ୍ୟକ୍ତିଗତ ତଥ୍ୟକୁ କେହି ଅନଧିକୃତ ଭାବେ ଆକ୍ସେସ୍ କରିଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ ଅନୁମତି ବିନା ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୨୨ରୁ ସେପ୍ଟେମ୍ବର ୧୩ ମଧ୍ୟରେ ହୋଇଥିବା ଏହି ଟ୍ରାଞ୍ଜାକ୍ସନ୍ଗୁଡ଼ିକର ତଥ୍ୟ ଆଧାରରେ ପୁଲିସ ତଦନ୍ତ ଆଗକୁ ବଢ଼ାଉଛି।
ଘଟଣାର ତଦନ୍ତ ପାଇଁ ପୁଲିସ ସାଇବର ସେଲ୍ର ସହାୟତା ନେଇଛି। ଟଙ୍କା କେଉଁ ଖାତା କିମ୍ବା ଡିଜିଟାଲ୍ ଆକାଉଣ୍ଟକୁ ଯାଇଛି, ଟ୍ରାଞ୍ଜାକ୍ସନ୍ କେଉଁ ଡିଭାଇସ୍ରୁ କରାଯାଇଥିଲା ଏବଂ ଏଥିରେ କିଏ ସମ୍ପୃକ୍ତ, ସେନେଇ ଯାଞ୍ଚ ଚାଲିଛି। ତଦନ୍ତ ଶେଷ ହେବା ପରେ ହିଁ ଅନଧିକୃତ ଟଙ୍କା ଉଠାଣର ପ୍ରକୃତ କାରଣ ସ୍ପଷ୍ଟ ହେବ।

