Tulu Language: ଟୁଲୁ ଭାଷାକୁ ମିଳିଲା ବଡ଼ ମାନ୍ୟତା, କର୍ଣ୍ଣାଟକରେ ହେଲା ଦ୍ୱିତୀୟ ଅତିରିକ୍ତ ପ୍ରଶାସନିକ ଭାଷା
କର୍ଣ୍ଣାଟକ: କର୍ଣ୍ଣାଟକର ଟୁଲୁ ଭାଷାଭାଷୀ ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଦଶନ୍ଧି ଧରି ଚାଲିଥିବା ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ କ୍ୟାବିନେଟ୍ ଟୁଲୁ ଭାଷାକୁ ଦକ୍ଷିଣ କନ୍ନଡ ଓ ଉଡୁପି ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ଅତିରିକ୍ତ ପ୍ରଶାସନିକ ଭାଷା ଭାବେ ମାନ୍ୟତା ଦେଇଛି। ମଙ୍ଗଳୁରୁରେ ପ୍ରଥମ ଥର ପାଇଁ ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ଟୁଲୁ ଭାଷାକୁ ପ୍ରଶାସନିକ ମାନ୍ୟତା ଦେବା ପାଇଁ ତୁଲୁ ଭାଷାଭାଷୀ ସମୁଦାୟ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଏହି ନିଷ୍ପତ୍ତି ଦ୍ୱାରା ଦକ୍ଷିଣ କନ୍ନଡ ଓ ଉଡୁପି ଅଞ୍ଚଳରେ ତୁଲୁ ଭାଷାର ବ୍ୟବହାରକୁ ପ୍ରଶାସନିକ ସ୍ତରରେ ଅଧିକ ସୁଯୋଗ ମିଳିବ। ଭାଷା ଓ ସାଂସ୍କୃତିକ ପରିଚୟ ସୁରକ୍ଷା ଦିଗରେ ମଧ୍ୟ ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ମଙ୍ଗଳୁରୁରେ ହୋଇଥିବା ଏହି କ୍ୟାବିନେଟ୍ ବୈଠକରେ କେବଳ ଭାଷା ସମ୍ପର୍କିତ ନିଷ୍ପତ୍ତି ନୁହେଁ, ଉପକୂଳ କର୍ଣ୍ଣାଟକର ବିକାଶକୁ ନେଇ ଏକ ବ୍ୟାପକ ପ୍ୟାକେଜ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ତୁଲୁକୁ ଅତିରିକ୍ତ ପ୍ରଶାସନିକ ଭାଷାର ମାନ୍ୟତା ମିଳିବା ପରେ ଏହାକୁ ନେଇ ତୁଲୁ ଭାଷାଭାଷୀ ସମୁଦାୟ ମଧ୍ୟରେ ଆଶା ଓ ଉତ୍ସାହ ବଢ଼ିଛି।

