Tamil Nadu Language Policy: ନଭୋଦୟ ସ୍କୁଲକୁ ଜମି ଦେବନି ତାମିଲନାଡୁ, ଦୁଇ ଭାଷା ନୀତିରେ ସରକାରଙ୍କ ଦୃଢ଼ ନିଷ୍ପତ୍ତି
ତାମିଲନାଡୁ: ତାମିଲନାଡୁରେ ଜବାହର ନଭୋଦୟ ବିଦ୍ୟାଳୟ ସ୍ଥାପନକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ମଧ୍ୟରେ ମତଭେଦ ଜାରି ରହିଛି। ସୁପ୍ରିମକୋର୍ଟ ନିକଟରେ ରାଜ୍ୟକୁ ପ୍ରତ୍ୟେକ ଜିଲ୍ଲାରେ ନଭୋଦୟ ବିଦ୍ୟାଳୟ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ପୂର୍ବ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ଏହା ସହିତ ହିନ୍ଦୀ ଶିକ୍ଷା ଓ ନଭୋଦୟ ବିଦ୍ୟାଳୟକୁ ନେଇ ରାଜ୍ୟ ନିଜ ଆଭିମୁଖ୍ୟର ପୁନର୍ବିଚାର କରିବା ଉଚିତ ବୋଲି କୋର୍ଟ ମତ ଦେଇଛନ୍ତି।
ତାମିଲନାଡୁ ସରକାର ନିଜର ଦୁଇ ଭାଷା ନୀତି ଉପରେ ଅଟଳ ରହିଛନ୍ତି । ନଭୋଦୟ ବିଦ୍ୟାଳୟଗୁଡ଼ିକରେ ତିନି ଭାଷା ନୀତି ଲାଗୁ ହେଉଥିବାରୁ ରାଜ୍ୟ ଏହାକୁ ନେଇ ଆପତ୍ତି ଜଣାଇଆସୁଛି। ସ୍କୁଲ ଶିକ୍ଷାମନ୍ତ୍ରୀ ତଥା TVK ନେତା ରାଜମୋହନ ଅରୁମୁଗମ୍ ମଧ୍ୟ କହିଛନ୍ତି ଯେ, ତାମିଲନାଡୁ ଦୁଇ ଭାଷା ନୀତି ଜାରି ରଖିବ। ରାଜ୍ୟର ଏହି ଆଭିମୁଖ୍ୟ ପୂର୍ବତନ DMK ସରକାରର ଅବସ୍ଥାନ ସହ ମଧ୍ୟ ସମାନ ରହିଛି।
ଏହି ପ୍ରସଙ୍ଗରେ ଶାସକ TVK ଓ ବିରୋଧୀ DMK ମଧ୍ୟରେ ଦୁଇ ଭାଷା ନୀତିକୁ ନେଇ ସମାନ ଆଭିମୁଖ୍ୟ ସାମ୍ନାକୁ ଆସିଛି। DMK ନେତା ଉଦୟନିଧି ଷ୍ଟାଲିନ୍ ମଧ୍ୟ ତାମିଲନାଡୁରେ ନଭୋଦୟ ବିଦ୍ୟାଳୟ ଆବଶ୍ୟକ ନାହିଁ ବୋଲି କହିବା ସହ ଦୁଇ ଭାଷା ନୀତି ଜାରି ରଖିବାକୁ ସମର୍ଥନ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଆଲୋଚନା ମାଧ୍ୟମରେ ମତଭେଦର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଜମି ଚିହ୍ନଟ ପାଇଁ ତାମିଲନାଡୁକୁ ଆଉ ୩ ମାସ ସମୟ ଦେଇଛନ୍ତି।

