UPI Payment: ପେଟ୍ରୋଲ ପମ୍ପରେ ୨ ହଜାରରୁ ଅଧିକ ପେମେଣ୍ଟ ଉପରେ ଲାଗିପାରେ ରୋକ, ଡିଲରଙ୍କ ଚେତାବନୀ
ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ଉପରେ ପ୍ରସ୍ତାବିତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR)କୁ ନେଇ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳର ପେଟ୍ରୋଲ ପମ୍ପ ଡିଲରମାନେ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରସ୍ତାବିତ ୦.୪ ପ୍ରତିଶତ MDRରୁ ଇନ୍ଧନ ବିକ୍ରେତାମାନଙ୍କୁ ବାଦ୍ ଦିଆନଗଲେ ବଡ଼ ମୂଲ୍ୟର UPI ପେମେଣ୍ଟ ଗ୍ରହଣ ବନ୍ଦ କରିବାକୁ କିଛି ଡିଲର ଚେତାବନୀ ଦେଇଛନ୍ତି।
ରିପୋର୍ଟ ଅନୁସାରେ, ଏହି ଦାବି ପୂରଣ ନହେଲେ ଅକ୍ଟୋବର ୧୫ରୁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI ଟ୍ରାଞ୍ଜାକ୍ସନ ଗ୍ରହଣ ନକରିବାକୁ ପେଟ୍ରୋଲ ପମ୍ପ ଡିଲରମାନେ ପଦକ୍ଷେପ ନେଇପାରନ୍ତି। ଡିଲରମାନଙ୍କ ମତରେ, ଅତିରିକ୍ତ MDR ଲାଗୁ ହେଲେ ବଡ଼ ମୂଲ୍ୟର ଡିଜିଟାଲ ପେମେଣ୍ଟ ଉପରେ ବ୍ୟବସାୟୀଙ୍କ ଖର୍ଚ୍ଚ ବଢ଼ିପାରେ।
ଯଦି ଏଭଳି ନିଷ୍ପତ୍ତି ଲାଗୁ ହୁଏ, ତେବେ ପେଟ୍ରୋଲ ଓ ଡିଜେଲ କିଣିବା ସମୟରେ ଅଧିକ ଟଙ୍କାର UPI ପେମେଣ୍ଟ କରୁଥିବା ଗ୍ରାହକମାନେ ପ୍ରଭାବିତ ହୋଇପାରନ୍ତି। ବିଶେଷକରି ୨,୦୦୦ ଟଙ୍କାରୁ ଅଧିକ ଇନ୍ଧନ କିଣୁଥିବା ଗ୍ରାହକଙ୍କୁ ବିକଳ୍ପ ପେମେଣ୍ଟ ମାଧ୍ୟମ ବ୍ୟବହାର କରିବାକୁ ପଡ଼ିପାରେ। ତେବେ ପ୍ରସ୍ତାବିତ MDR ଓ ଏହାର ପ୍ରଭାବ ନେଇ ଆଗାମୀ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ନଜର ରହିଛି।

