Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Jayadev Vihar Behera Dhaba Family Road Accident: ଉଜ୍ଜୟିନୀ ବଗଳାମୁଖୀ ମା’ଙ୍କ ଆଶୀର୍ବାଦ ନେବାକୁ ପଠାଇଥିଲେ ବନମାଳି, ଫେରିଲା ୭ ଜଣଙ୍କ ମୃତ୍ୟୁ ଖବର

ନାନା ଆଶା ଓ ସ୍ୱପ୍ନ ନେଇ ପୁଅ, ଝିଅ, ଜ୍ୱାଇଁ ଓ ନାତିନାତୁଣୀଙ୍କୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ବଗଳାମୁଖୀ ମା’ଙ୍କ ଆଶୀର୍ବାଦ ନେବାକୁ ପଠାଇଥିଲେ ବନମାଳି ବେହେରା ଓ ପତ୍ନୀ ଅନସୂୟା। ହେଲେ ବାଟରେ ଛକିଥିଲା ମୃତ୍ୟୁ। କାର୍‌ଟି ଜଳାଶୟରେ ବୁଡ଼ିଯିବାରୁ ପରିବାରର ୭ ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଛି। ଏହି ଖବର ପହଞ୍ଚିବା ପରେ ଓଡ଼ିଶାରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି। ୬୬ ବର୍ଷୀୟ ବନମାଳି ବେହେରା ଜୟଦେବ ବିହାର ଛକ ନିକଟରେ ‘ବେହେରା ଢାବା’ ଚଳାଇ ଦୀର୍ଘ ତିନି ଦଶନ୍ଧି ଧରି ପରିବାର ଗଢ଼ିଥିଲେ। ଏବେ ପୁଅ, ଝିଅ, ଜ୍ୱାଇଁ ଓ ନାତିନାତୁଣୀଙ୍କୁ ହରାଇ ସେ ଓ ତାଙ୍କ ପତ୍ନୀ ଭାଙ୍ଗିପଡ଼ିଛନ୍ତି।

ଏହି ଦୁଃଖଦ ଘଟଣା ମଧ୍ୟରେ ରୀତାରାଣୀଙ୍କ ଝିଅକୁ ନେଇ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରାରେ ଯିବା ପୂର୍ବରୁ ରୀତାରାଣୀ ତାଙ୍କ ଝିଅକୁ ବାପଘରେ ଛାଡ଼ି ଆସିଥିଲେ। ଫେରିବା ପରେ ତାଙ୍କ ପାଇଁ ଅନେକ କିଛି ଆଣିବେ ଏବଂ ଘଟଗାଁ ତାରିଣୀଙ୍କ ଦର୍ଶନ କରାଇବେ ବୋଲି କହିଥିଲେ। ସେହିପରି ବନମାଳିଙ୍କ ନାତୁଣୀ ରୋଜାଲିନ୍ ବେହେରା ମଧ୍ୟ ଏହି ଯାତ୍ରାରେ ଯିବାର ଥିଲା। ହେଲେ କଲେଜରେ କାର୍ଯ୍ୟକ୍ରମ ଥିବାରୁ ସେ ଯାଇନଥିଲେ। ଏହି ନିଷ୍ପତ୍ତି ତାଙ୍କୁ ବଞ୍ଚାଇଦେଇଥିବା ବେଳେ ସେ ନିଜ ବାପା, ମା’ ଓ ସାନଭାଇଙ୍କୁ ହରାଇଛନ୍ତି। “ମୋର ବି ଯିବାର ଥିଲା, କିନ୍ତୁ କଲେଜରେ ପ୍ରୋଗ୍ରାମ୍ ଥିବାରୁ ମୁଁ ରହିଗଲି,” ବୋଲି ରୋଜାଲିନ୍ କହିଛନ୍ତି।

ଘଟଣାର ଖବର ପହଞ୍ଚିବା ପରଠାରୁ ସମ୍ପୂର୍ଣ୍ଣ ବସ୍ତି କାନ୍ଦବୋବାଳିରେ ଫାଟିପଡ଼ିଛି। ପୁଅ, ଝିଅ ଓ ଜ୍ୱାଇଁଙ୍କୁ ହରାଇ ବନମାଳି ଓ ଅନସୂୟାଙ୍କ ସହ ନିକଟ ସମ୍ପର୍କୀୟମାନେ ମଧ୍ୟ ଭାଙ୍ଗିପଡ଼ିଛନ୍ତି। ପରିବାରକୁ ସାନ୍ତ୍ୱନା ଦେବାକୁ ଶହ ଶହ ଲୋକ ପହଞ୍ଚୁଥିବା ବେଳେ ସ୍ଥାନୀୟ କର୍ପୋରେଟର, ବିଧାୟକ, ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପରିବାରକୁ ସମବେଦନା ଜଣାଇଛନ୍ତି। ମଧ୍ୟପ୍ରଦେଶ ପ୍ରଶାସନ ସହ ଓଡ଼ିଶା ସରକାର ଯୋଗାଯୋଗରେ ଥିବା ବେଳେ ମୃତଦେହଗୁଡ଼ିକୁ ସମ୍ମାନର ସହ ଭୁବନେଶ୍ୱର ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ