ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକ ଅଭିଯୋଗ, ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ନିଲମ୍ବିତ
ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଫୋନ୍ରେ ଧମକ ଦେବା ଘଟଣାରେ ଜେଲ୍ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାଙ୍କୁ ନିଲମ୍ବନ କରିଛି। ନିଲମ୍ବନ ସମୟରେ ସେ ବ୍ରହ୍ମପୁର ସିଟି ହସ୍ପିଟାଲରେ ରହିବେ। ମୁଖ୍ୟାଳୟ ଛାଡ଼ିବାକୁ ହେଲେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଅଗଷ୍ଟ ୨୮ ତାରିଖରେ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀ ଲଳିତମୋହନ ମଙ୍ଗରାଜଙ୍କୁ ଜେଲ୍ ଭିତରୁ ଫୋନ୍ କରି ସାକ୍ଷ୍ୟ ନଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଫୋନ୍ ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ରୁ ଯାଇଥିବା ତଦନ୍ତରେ ଜଣାପଡ଼ିଥିବା ନେଇ ପୋଲିସ କହିଛି। ଡାକ୍ତରଙ୍କ ମୋବାଇଲ୍ ଜବତ କରାଯାଇ ତାଙ୍କୁ ଥାନାରେ ପଚରାଉଚରା ପରେ ନୋଟିସ୍ରେ ଛାଡ଼ି ଦିଆଯାଇଥିଲା।
ଏହି ଘଟଣାରେ ପୋଲିସ ଟେକ୍ନିକାଲ୍ ତଥ୍ୟ, ଫୋନ୍ କଲ୍ ରେକର୍ଡ ଓ ଜେଲ୍ର ସିସିଟିଭି ଫୁଟେଜ୍କୁ ଆଧାର କରି ତଦନ୍ତ କରୁଛି। ଜେଲ୍ ଭିତରକୁ ମୋବାଇଲ୍ ଫୋନ୍ କିପରି ପହଞ୍ଚିଲା ଏବଂ ସାକ୍ଷୀଙ୍କୁ ଫୋନ୍ କରିବାରେ କାହାର ଭୂମିକା ଥିଲା, ତାହା ନେଇ ମଧ୍ୟ ତଦନ୍ତ ଜାରି ରହିଛି। ବ୍ରହ୍ମପୁର ଏସ୍ପିଙ୍କ ପକ୍ଷରୁ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି।

