Pulkit Mani Shows Cancelled: ମୋଦୀଙ୍କ ମିମିକ୍ରିକୁ ନେଇ ବିବାଦ, ନୋଏଡା-ଲକ୍ଷ୍ନୌ-କାନପୁର ଶୋ’ ବାତିଲ କଲେ ପୁଲକିତ ମଣି
ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ୍ ପୁଲକିତ ମଣିଙ୍କ ନୋଏଡା, ଲକ୍ଷ୍ନୌ ଓ କାନପୁରରେ ହେବାକୁ ଥିବା ଶୋ’ ବାତିଲ ହୋଇଛି। ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଂ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିମିକ୍ରି କରିବା ପରେ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା। ଏହି ପ୍ରଦର୍ଶନର ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ନେତାମାନେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ।
ପୁଲକିତ ପ୍ରଥମେ ନୋଏଡା ଶୋ’ ବାତିଲ କରିବା ନେଇ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଥିଲେ ଏବଂ ଏହା ପାଇଁ ‘ଅପ୍ରତ୍ୟାଶିତ ପରିସ୍ଥିତି’କୁ କାରଣ ଦର୍ଶାଇଥିଲେ। ପରେ ଲକ୍ଷ୍ନୌ ଓ କାନପୁର ଶୋ’ ମଧ୍ୟ ବାତିଲ ହୋଇଥିବା ଜଣାଇ ସେ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ପୁନଃପୁନି ଧମକ ମିଳୁଥିବା ଦାବି କରିଥିଲେ। ତେବେ ଏହି ଧମକ ପଛରେ କିଏ ରହିଛି, ସେନେଇ ସେ କୌଣସି ନିର୍ଦ୍ଦିଷ୍ଟ ପରିଚୟ ପ୍ରକାଶ କରିନାହାନ୍ତି।
ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ମଧ୍ୟ ତେଜ ହୋଇଛି। ବିଜେପି ନେତାମାନେ ଏହି ମିମିକ୍ରିକୁ ନେଇ ଆପତ୍ତି ଉଠାଇଥିବା ବେଳେ, କଂଗ୍ରେସ ପକ୍ଷରୁ ଏହାକୁ ମନୋରଞ୍ଜନ ଓ ମିମିକ୍ରିର ଅଂଶ ବୋଲି କୁହାଯାଇଛି। ଏହି ବିବାଦ ମଧ୍ୟରେ ପୁଲକିତଙ୍କ ତିନୋଟି ଶୋ’ ବାତିଲ ହୋଇଛି।

