Andhra Pradesh Hostel: ରାତିରେ ଶୋଇଥିଲେ ଛାତ୍ରୀ, ସକାଳୁ ଦେଖିଲେ ୧୦ ଜଣଙ୍କର କଟିଯାଇଛି ଚୁଟି; ଘଟଣାକୁ ନେଇ ଚାଞ୍ଚଲ୍ୟ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଏକ ଅଜବ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହଷ୍ଟେଲରେ ଶୋଇଥିବା ବେଳେ ୧୦ ଜଣ ନବମ ଶ୍ରେଣୀ ଛାତ୍ରୀଙ୍କ ବେଣୀ କଟାଯାଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ୧୬ ତାରିଖ ରାତିରେ ଭୀମିଲିର କୃଷ୍ଣପୁରମ୍ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ହଷ୍ଟେଲରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଛାତ୍ରୀମାନେ ଦୁଇଟି କୋଠରୀରେ ଶୋଇଥିଲେ। ଗୋଟିଏ କୋଠରୀରେ ୬ ଜଣ ଏବଂ ଅନ୍ୟ କୋଠରୀରେ ୪ ଜଣ ଛାତ୍ରୀ ଥିଲେ। ନିଦରୁ ଉଠିବା ପରେ ସେମାନେ ନିଜ ଚୁଟି କଟାଯାଇଥିବା ଜାଣିବାକୁ ପାଇଥିଲେ। ଘଟଣା ପରେ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏହି ବିଦ୍ୟାଳୟରେ ପ୍ରାୟ ୩୮ ଜଣ ନବମ ଶ୍ରେଣୀ ଛାତ୍ରୀ ହଷ୍ଟେଲରେ ରହୁଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ହଷ୍ଟେଲରେ ରାତି ସମୟର ସୁରକ୍ଷା ବ୍ୟବସ୍ଥା ଏବଂ ଘଟଣା କିପରି ଘଟିଲା, ସେନେଇ ଯାଞ୍ଚ କରାଯାଉଛି।

