Bhopal Lift Incident: ୫-ଷ୍ଟାର ହୋଟେଲର ଲିଫ୍ଟରେ ଫସିଲେ IAS ଅଧିକାରୀଙ୍କ ପତ୍ନୀ, ଯାଞ୍ଚରେ ସାମ୍ନାକୁ ଆସିଲା ବଡ଼ ଅବହେଳା
ମଧ୍ୟପ୍ରଦେଶ: ଭୋପାଳର DB ମଲ୍ସ୍ଥିତ ଏକ ୫-ଷ୍ଟାର ହୋଟେଲରେ ଲିଫ୍ଟ ଅଚଳ ହୋଇ ଅନେକ ଲୋକ ଫସିଯିବା ଘଟଣା ଚର୍ଚ୍ଚାରେ ରହିଛି। ଫସିଥିବା ଲୋକଙ୍କ ମଧ୍ୟରେ ଜଣେ ବରିଷ୍ଠ IAS ଅଧିକାରୀଙ୍କ ପତ୍ନୀ ମଧ୍ୟ ଥିବା ଜଣାପଡ଼ିଛି। ଘଟଣା ପରେ ନଗର ନିଗମର ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲିଫ୍ଟରେ ଫସିଥିବା ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲା।
ଘଟଣା ପରେ ହୋଟେଲର ଲିଫ୍ଟ ବ୍ୟବସ୍ଥାର ଯାଞ୍ଚ କରାଯିବାରୁ କିଛି ଗୁରୁତର ତ୍ରୁଟି ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଛି। ଯାଞ୍ଚ ସମୟରେ ଲିଫ୍ଟରେ Automatic Rescue Device (ARD) ନଥିବା ଜଣାପଡ଼ିଥିଲା। ଏହା ସହିତ ୩୧ ଅଗଷ୍ଟରେ ହେବାକୁ ଥିବା ନିର୍ଦ୍ଧାରିତ ମେଣ୍ଟେନାନ୍ସ ମଧ୍ୟ ହୋଇନଥିବା ଯାଞ୍ଚରେ ସାମ୍ନାକୁ ଆସିଥିଲା। ହୋଟେଲର ଫାୟାର ସେଫ୍ଟି ବ୍ୟବସ୍ଥାରେ ମଧ୍ୟ କିଛି କମି ଥିବା ଅଧିକାରୀମାନେ ଚିହ୍ନଟ କରିଥିଲେ।
ଏହାପରେ ସୁରକ୍ଷା ଦୃଷ୍ଟିରୁ ହୋଟେଲର ତିନୋଟି ଲିଫ୍ଟକୁ ଅସ୍ଥାୟୀ ଭାବେ ସିଲ୍ କରାଯାଇଛି। ଏହି ଘଟଣା ପରେ ଭୋପାଳ ସହରର ଅନ୍ୟାନ୍ୟ ହୋଟେଲ, ହସ୍ପିଟାଲ ଏବଂ ବହୁତଳ କୋଠାରେ ଥିବା ଲିଫ୍ଟଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବାର ସୂଚନା ମିଳିଛି। ଲିଫ୍ଟର ନିୟମିତ ମେଣ୍ଟେନାନ୍ସ, ରେସ୍କ୍ୟୁ ବ୍ୟବସ୍ଥା ଏବଂ ଫାୟାର ସେଫ୍ଟି ମାନଦଣ୍ଡ ପାଳନ ହେଉଛି କି ନାହିଁ, ଯାଞ୍ଚରେ ଏହା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

