Jamui Case: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ବଡ଼ ଆକ୍ସନ, ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବଙ୍କୁ ପୁଲିସର ଏନ କାଉଣ୍ଟର
ବିହାର: ବିହାରର ଜମୁଇରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଓ ନିର୍ଯାତନା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ନନ୍ଦନ ଯାଦବଙ୍କ ସହ ପୁଲିସର ମୁହାଁମୁହିଁ ହୋଇଥିବା ଖବର ଆସିଛି। ନବଭାରତ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ଘଟଣାରେ ନନ୍ଦନଙ୍କ ଗୋଡ଼ରେ ଗୁଳି ବାଜିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍କୁ ନିଆଯାଇଛି।
ଘଟଣାଟି ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ ଘଟିଥିଲା। ମଡ଼ୱା ପାହାଡ଼ ଅଞ୍ଚଳରୁ ସ୍କୁଟିରେ ଫେରୁଥିବା ଜଣେ ନାବାଳିକା ଛାତ୍ରୀ ଓ ତାଙ୍କ ସହପାଠୀଙ୍କୁ କିଛି ଯୁବକ ଅଟକାଇଥିଲେ। ଛାତ୍ରୀଙ୍କ ସହ ଅସଦାଚରଣ ଏବଂ ତାଙ୍କ ସହପାଠୀଙ୍କୁ ମାଡ଼ ମାରିବାର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍ଆଇଟି ଗଠନ କରାଯାଇଥିଲା।
ଏହି ମାମଲାରେ ପୁଲିସ ପୋକ୍ସୋ ଆଇନ ସହ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଭାଇରାଲ୍ ଭିଡିଓରେ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଲଗାତାର ଚଢ଼ାଉ ଜାରି ରହିଥିବା ପୁଲିସ କହିଛି। ଏଥିସହ ନାବାଳିକାଙ୍କ ପରିଚୟ ପ୍ରଘଟ କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

