Mizoram Road Rage: ଛୁଟିରେ ଘରକୁ ଫେରୁଥିବା Army ଯବାନଙ୍କୁ ପିଟିପିଟି ହତ୍ୟା, ୮ ଗିରଫ
ମିଜୋରାମ: ଛୁଟିରେ ଘରକୁ ଫେରୁଥିବା ଜଣେ ୨୯ ବର୍ଷୀୟ ସେନା ଯବାନଙ୍କୁ ରାସ୍ତାରେ ହୋଇଥିବା ସାମାନ୍ୟ ବିବାଦ ପରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ମିଜୋରାମରେ ଚର୍ଚ୍ଚା ସୃଷ୍ଟି କରିଛି। ସେପ୍ଟେମ୍ବର ୨୦ରେ କୋଲାସିବ ଜିଲ୍ଲାର ବୁଆଲପୁଇ ଓ ଥିଙ୍ଗଦାୱଲ ମଧ୍ୟରେ ଜାତୀୟ ରାଜପଥ-୩୦୬ରେ ଏହି ଘଟଣା ଘଟିଥିଲା। ମୃତ ଯବାନ ଜକାରିଆ ଲାଲହ୍ରିଆଟ୍ଲୁଆଙ୍ଗା ଆସାମ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ ଏବଂ ଜମ୍ମୁ-କଶ୍ମୀରରେ ତାଙ୍କ ପୋଷ୍ଟିଂ ଥିଲା। ସେ ଲେଙ୍ଗପୁଇ ବିମାନବନ୍ଦରରୁ ନିଜ ଗାଁ ନ୍ୟୁ ବୁଇଲୁମ୍କୁ ଜଣେ ବନ୍ଧୁଙ୍କ ସହ ଟ୍ରକ୍ରେ ଯାଉଥିବା ବେଳେ ଏହି ବିବାଦ ଘଟିଥିଲା।
ପୁଲିସ ଅନୁସାରେ, କାୱନପୁଇ ଅଞ୍ଚଳରୁ ପିକନିକ୍ ସାରି ଫେରୁଥିବା କିଛି ଯୁବକଙ୍କ ସହ ଜକାରିଆ ଓ ତାଙ୍କ ବନ୍ଧୁଙ୍କର ରାସ୍ତାରେ ଟ୍ରକ୍ ଚଳାଚଳକୁ ନେଇ ସାମାନ୍ୟ ବିବାଦ ହୋଇଥିଲା। ଏହା ପରେ ବିବାଦ ମାରପିଟର ରୂପ ନେଇଥିଲା ଏବଂ ଯବାନଙ୍କ ସମେତ ତାଙ୍କ ସହ ଥିବା ଲୋକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଜକାରିଆ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଟ୍ରକ୍ ଚଳାଉଥିବା ତାଙ୍କ ବନ୍ଧୁ ଜନ୍ ଲାଲତାନପୁଇଆ ସାମାନ୍ୟ ଆହତ ହୋଇଥିଲେ। ଜକାରିଆଙ୍କ ମା’ଙ୍କ କହିବା ଅନୁସାରେ, ରାସ୍ତାର ଖରାପ ଅବସ୍ଥା କାରଣରୁ ଜଣେ ଟ୍ରକ୍ ଚାଳକ ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଉଥିବାକୁ ନେଇ ତାଙ୍କ ବନ୍ଧୁ ପ୍ରତିବାଦ କରିଥିଲେ। ଏହି ସମୟରେ ପ୍ରାୟ ୨୦ ଜଣ ଯୁବକ ସେଠାରେ ପହଞ୍ଚି ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଘଟଣାରେ ଦୁଇ ନାବାଳକଙ୍କ ସମେତ ୮ ଜଣଙ୍କୁ ପୁଲିସ ଗିରଫ କରିଛି।
ଘଟଣା ପୂର୍ବରୁ ଜକାରିଆ ନିଜ ମା’ଙ୍କ ସହ ଫୋନ୍ରେ କଥା ହୋଇଥିଲେ। ସେ ପ୍ରାୟ ସାଢ଼େ ୬ଟା ସୁଦ୍ଧା ଘରେ ପହଞ୍ଚିବେ ବୋଲି କହିଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ବିଳମ୍ବ ହେଉଥିବା ସେ ପରେ ମା’ଙ୍କୁ ଜଣାଇଥିଲେ। କିଛି ସମୟ ପରେ ଆକ୍ରମଣ ଘଟଣାର ଖବର ପରିବାର ପାଖରେ ପହଞ୍ଚିଥିଲା। ଜକାରିଆ ୨୦୧୭ରେ ଆସାମ ରେଜିମେଣ୍ଟରେ ଯୋଗ ଦେଇଥିଲେ ଏବଂ ପରିବାରର ମୁଖ୍ୟ ରୋଜଗାରକାରୀ ଥିଲେ ବୋଲି ତାଙ୍କ ମା’ କହିଛନ୍ତି। ବୃଦ୍ଧ ବାପା-ମା’ଙ୍କ ଜୀବିକାରେ ମଧ୍ୟ ସେ ସହଯୋଗ କରୁଥିଲେ। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛି ପରିବାର।

