Pakistan-Afghanistan Conflict: ଡ୍ରୋନ୍ ଆକ୍ରମଣ ଅଭିଯୋଗ ପରେ ବଡ଼ ଆକ୍ସନ, ଆଫଗାନିସ୍ତାନର ୧୦ ସ୍ଥାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍
ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ତିକ୍ତତା ଆହୁରି ବଢ଼ିଛି। ପାକିସ୍ତାନର ସୂଚନାମନ୍ତ୍ରୀ ଅତାଉଲ୍ଲା ତରାରଙ୍କ କହିବା ଅନୁଯାୟୀ, ଆଫଗାନିସ୍ତାନର ୧୦ଟି ସ୍ଥାନରେ ପାକିସ୍ତାନ ସଠିକ୍ ଲକ୍ଷ୍ୟଭିତ୍ତିକ ଏୟାର ଓ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି। ପାକିସ୍ତାନର ଦାବି ହେଉଛି, ଏହି ସ୍ଥାନଗୁଡ଼ିକରୁ ଡ୍ରୋନ୍ ଲଞ୍ଚ ଓ ଷ୍ଟୋର କରାଯାଉଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନ ପଟୁ ପାକିସ୍ତାନୀ ଆକାଶସୀମାକୁ ପ୍ରବେଶ କରିଥିବା ୮ଟି ଡ୍ରୋନ୍କୁ ନିଜ ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ କରିଥିବା ପାକିସ୍ତାନ କହିଛି।
ପାକିସ୍ତାନ କହିଛି ଯେ, ଡ୍ରୋନ୍ ଘଟଣାର ପ୍ରତିକ୍ରିୟାରେ ଏହି ଷ୍ଟ୍ରାଇକ୍ କରାଯାଇଛି ଏବଂ ଟାର୍ଗେଟ୍ଗୁଡ଼ିକ ସାମରିକ ଉଦ୍ଦେଶ୍ୟ ସହ ଜଡ଼ିତ ଥିଲା। ତେବେ ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରିଛି। ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ପାକିସ୍ତାନ ବିରୋଧରେ ଆଫଗାନିସ୍ତାନ ପକ୍ଷରୁ ଏଭଳି ଡ୍ରୋନ୍ ଆକ୍ରମଣ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି। ତେଣୁ ଡ୍ରୋନ୍ ଆକ୍ରମଣ ନେଇ ଦୁଇ ପକ୍ଷର ଦାବି ପରସ୍ପର ବିରୋଧୀ ରହିଛି।
ଏହି ଘଟଣା ପୂର୍ବରୁ ମଧ୍ୟ ସେପ୍ଟେମ୍ବର ୨୧ରେ ପାକିସ୍ତାନ ପୂର୍ବ ଆଫଗାନିସ୍ତାନର କିଛି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନ ୨୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ଦାବି କରିଥିବାବେଳେ, ଆଫଗାନ କର୍ତ୍ତୃପକ୍ଷ ଓ ଜାତିସଂଘ ଅନୁଯାୟୀ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ୪ ଜଣ ଆହତ ହୋଇଥିଲେ। ଲଗାତାର ଏଭଳି ଘଟଣା ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ାଇବା ସହ ଅଞ୍ଚଳୀୟ ମଧ୍ୟସ୍ଥତା ଓ ଶାନ୍ତି ଆଲୋଚନାକୁ ଜଟିଳ କରିପାରେ।

